ଆରମ୍ଭ ହେଲା କାଉଣ୍ଟ ଡାଉନ । ଇତିହାସ ରଚିବାକୁ ଆଉ ମାତ୍ର ୨୦ ଘଣ୍ଟାର ଅପେକ୍ଷା, ଆସନ୍ତାକାଲି ଚନ୍ଦ୍ରକୁ ଯାତ୍ରା କରିବ ‘ଚନ୍ଦ୍ରାୟନ-୨’ ।

327

କନକ ବ୍ୟୁରୋ: ରାତି ପାହିଲେ ରଚାହେବ ଇତିହାସ । ଆସନ୍ତା କାଲି ଚନ୍ଦ୍ରକୁ ଯାତ୍ରା କରିବ ‘ଚନ୍ଦ୍ରାୟନ-୨’ । ଆଉ ମାତ୍ର ୨୦ ଘଣ୍ଟାର ଅପେକ୍ଷା ଇତିହାସ ରଚିବାକୁ ଆରମ୍ଭ ହେଲା କାଉଣ୍ଟଡାଉନ୍ । ‘ଚନ୍ଦ୍ରାୟନ-୨’କୁ ଉତକ୍ଷେପଣ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ) ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ଶ୍ରୀହରିକୋଟା ପ୍ରକ୍ଷେପଣ କେନ୍ଦ୍ରରୁ ଶକ୍ତିଶାଳୀ ରକେଟ୍ ଜିଏସଏଲଭି ଏମକେ-୩ କୁ ବ୍ୟବହାର କରି ଆସନ୍ତା କାଲି ଅପରାହ୍ନ ୨ଟା ୪୩ ମିନିଟରେ ଚନ୍ଦ୍ରକୁ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରାୟନ-୨ ।

ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ ଗତ ୧୫ ତାରିଖରେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆସନ୍ତାକାଲି ଅପରାହ୍ନ ୨ଟା ୪୩ ମିନିଟରେ ଏହାର ଉତକ୍ଷେପଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଦେଖିବାକୁ ମିଳିଛି । ଇସ୍ରୋର ସର୍ବାଧିକ ମହାତ୍ବାକାଂକ୍ଷୀ ମିଶନ୍ ବୋଲି କୁହାଯାଉଥିବା ଚନ୍ଦ୍ରଯାନ-୨ର ପ୍ରକ୍ଷେପଣକୁ ନେଇ ଦେଶରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଉତକ୍ଷେପଣର ପ୍ରାୟ ୫୦ ଦିନ ପରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ।

ସବୁଠାରୁ ବଡ଼ କଥା ହେଲା କି, ‘ଚନ୍ଦ୍ରାୟନ-୨’ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଚନ୍ଦ୍ରାୟନ-୧ର ଅର୍ବିଟରେ ୩ଟି ୟୁରୋପ ଓ ୨ଟି ଆମେରିକାର ପେଲୋଡସ ଥିବା ବେଳେ ଚନ୍ଦ୍ରାୟନ-୨ର ଅର୍ବିଟର, ଲେଣ୍ଡର ଓ ରୋବର ୩ଟି ଭାଗ ରହିଛି । ଏହି ପ୍ରକଳ୍ପ ପାଇଁ ପାଖାପାଖି ୮ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଇସ୍ରୋ ତରଫରୁ ସୂଚନା ଦିଆଯାଇଛି ।

ସେପଟେ ଦୀର୍ଘ ୧୧ ବର୍ଷ ପରେ ଇସ୍ରୋ ପୁଣି ଥରେ ଚନ୍ଦ୍ରର ଭୌଗଳିକ ସ୍ଥିତି ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଯଦି ଚନ୍ଦ୍ରାୟନ-୨ ମିଶନ ସଫଳ ହୁଏ ତାହେଲେ ଆମେରିକା, ଋଷ, ଚୀନ ପରେ ଭାରତ ଚନ୍ଦ୍ରରେ ରୋବର ଅବସ୍ଥାପିତ କରିବାରେ ଚତୁର୍ଥ ଦେଶ ହେବ । ।