ସରକାରୀ ଯୋଜନା…କାହାକୁ କୃପା,କାହାକୁ କୋପ? ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ବାରଣ୍ଡାରେ ରାତି କାଟୁଛନ୍ତି ବିଜୟ…ହେଲେ ଗୋଟିଏ ଘରେ ମାଆ, ଝିଅ ଓ ପୁଅ ପାଇଲେ ତିନି ତିନିଟି ଘର

439

କନକ ବ୍ୟୁରୋ : ବୃଦ୍ଧ ବିଜୟ ବିଶ୍ୱାଳ । ବ୍ରେନ୍ ଟ୍ୟୁମରରେ ପୀଡିତ । ଘର କହିଲେ, ମାତ୍ର ଦୁଇ ବଖରା ଚାଳିଆ । ଗୋଟିଏରେ ପୁଅ, ବୋହୂ ରହୁଛନ୍ତି ଆଉ ଅନ୍ୟଟି ରୋଷେଇ ଘର । ତେଣୁ ରହିବାକୁ ଆଉ କିଛି ରାହା ନଥିବାରୁ ଘର ବାରଣ୍ଡା ପାଲଟିଛି ବିଜୟ ଏବଂ ତାଙ୍କ ପତ୍ନୀଙ୍କ ଏକମାତ୍ର ଆଶ୍ରା । ଆଉ ବର୍ଷା, ଶୀତ ପଡିଲେ ରୋଷେଇ ଘରେ ମୁଣ୍ଡ ଗୁଞ୍ଜନ୍ତି । ଚାଳିଆ ମରାମତି କରିବାକୁ ଜୁ’ ନାହିଁ । ଏଭଳି ଜଣେ ଗରିବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସରୁ ସବୁ ବର୍ଷ ବାଦ୍ ପଡୁଥିବା ବେଳେ ବିଜୟଙ୍କ ପଡୋଶୀଙ୍କ ଉପରେ କିନ୍ତୁ ପର୍ଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କରିଛି ଅହେତୁକ କୃପା ବର୍ଷା ।

କିଛି ବର୍ଷ ତଳେ ପଡୋଶୀ ଦୂତୀ ସାହୁଙ୍କୁ ସରକାରୀ ଘର ଦିଆଯାଇଥିଲା । ଚଳିତବର୍ଷ ତାଙ୍କ ପୁଅ କରୁଣାକର ସାହୁ ଏବଂ ଝିଅ ଜୟନ୍ତୀ ସାହୁଙ୍କୁ ପୁଣି ଦୁଇଟି ଆବାସ ମିଳିଛି । ତେବେ ଦୂତୀଙ୍କ ଆତ୍ମୀୟଙ୍କୁ ତିନି ତିନିଟା ଆବାସ ଯୋଗାଇ ଦିଆଯାଇଥିବା ବେଳେ ବିଜୟଙ୍କୁ ଆବାସରୁ ବାଦ୍ ଦେବା ଘଟଣା ହିତାଧିକାରୀ ଚୟନରେ ପାଟରପଦା ପଞ୍ଚାୟତର ପାତରଅନ୍ତର ନୀତିକୁ କେବଳ ପଦାରେ ପକାଉ ନାହିଁ ତ ବରଂ ସରକାରଙ୍କ ଗରିବ ଯୋଜନାକୁ ଅସ୍ତ୍ର କରି ଗାଁ ଗଣ୍ଡାରେ କେମିତି କୋପ ଏବଂ କୃପାର ହୀନ ରାଜନୀତି କରାଯାଉଛି ତାହା ବି ଦର୍ଶାଇ ଦେଉଛି ।

ସେହିଭଳି ପାଟରପଦା ପଞ୍ଚାୟତ କଟାବାହାଳ ଗାଁର ସତ୍ୟାନନ୍ଦ ସାହୁଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ଦିଆଯାଇଥିଲା । ସେ କିନ୍ତୁ ଜୟପୁରାକାଟେଣୀ ପଞ୍ଚାୟତ ପଦ୍ମପୋଖରୀ ଗାଁରେ ଗୃହ ନିର୍ମାଣ କରାଇ ବିଲ୍ ଉଠାଇଲେ । ପାଟରପଦା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସରେ କରାଯାଉଥିବା ଅନିମିୟତତା ପଦାକୁ ଆସିଥିଲା । ଏବେ ଗରିବ ବିଜୟଙ୍କ ଘରକୁ ଦେଖିଲେ, ପାଟରପଦା ପଞ୍ଚାୟତରେ ଅନିମିୟତତା ସହିତ କେମିତି ସାଂଘାତିକ ପାତରଅନ୍ତର କରାଯାଉଛି ତାହା ବି ଜଳଜଳ ହୋଇ ଦିଶୁଛି । ତେବେ ଜଣଙ୍କୁ ଦୁଇଟି ଲେଖାଏଁ ଘର ମିଳୁଥିବା ବେଳେ ବିଜୟଙ୍କୁ ଗୋଟିଏ ବି ଆବାସ ନ ମିଳିବା ଘଟଣା ତାଜୁବ୍ କରିଛି । କେବଳ ବିଜୟଙ୍କ କଥା ନୁହେଁ, କଟାବାହାଳ ଗାଁର ଏଭଳି ଅନେକ ଗରିବ ଅସହାୟ ଲୋକ ଅଛନ୍ତି ଯେଉଁମାନେ କି ଏମିତି ପାତରଅନ୍ତରର ଶିକାର ହୋଇଥିବା ଅଭିଯୋଗ ଆସିଛି ।