ସଧବା ପାଉଛନ୍ତି ବିଧବା ଭତ୍ତା ! ବରିଷ୍ଠଙ୍କ ଜାଗାରେ ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ମୟୂରଭଂଜ ସାରୁମୂଳା ପଞ୍ଚାୟତରୁ ଆସିଲା ଦୃର୍ନୀତିର ଗନ୍ଧ

911

କନକ ବ୍ୟୁରୋ: “ସଧବା ପାଉଛି ବିଧବା ଭତ୍ତା” କଥାଟି କୌଣସି ଫିଲ୍ମ କିମ୍ବା ଯାତ୍ରା ପାଟିର କାହାଣୀ ନୁହେଁ ବରଂ ଏହା ହେଉଛି ଏକ ବାସ୍ତବ ଚିତ୍ର । ଯେଉଁଠି ବିଧବାଙ୍କ ଜାଗାରେ ୧୦ଜଣ ସଧବା ମହିଳା ସ୍ୱାମୀ ବଂଚି ଥାଉ ଥାଉ ଆଜିକୁ ପାଖାପାଖି ପାଂଚ ମାସ ଧରି ପାଉଛନ୍ତି ବିଧବା ଭତ୍ତା । ଏଘଟଣା ସାମ୍ନାକୁ ଆସିବା ପରେ ଏଥିରେ ସଂପୃକ୍ତ ଥିବା ବ୍ଲକ୍ ସମାଜ ମଙ୍ଗଳ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

ସରକାର ଲୋକଙ୍କର ସୁବିଧା ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା କରିଛନ୍ତି ଏବଂ ଏହାକୁ ସଠିକ୍ ଓ ସ୍ୱଚ୍ଛତାର ସହ ତୁଲାଇବାକୁ ନିୟୋଜିତ ହୋଇଛନ୍ତି ଅନେକ ସରକାରୀ ଅଧିକାରୀ ଏବଂ କର୍ମଚାରୀ । ହେଲେ କିଛି ବେପରୁଆ ଓ ସ୍ୱାର୍ଥ ଲୋଭି କର୍ମଚାରୀଙ୍କ ପାଇଁ ସରକାରଙ୍କର ଯୋଜନା ଉଚିତ୍ ଲୋକଙ୍କ ପାଖରେ ପହଂଚିବା ଜାଗାରେ ବାଟବଣା ହୋଇ କିଛି ଲୋକଙ୍କ ପକେଟରେ ପସୁଛି । ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଅଧିନସ୍ଥ ସାରୁମୂଳା ପଂଚାୟତରେ ।

ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସରେ ରାସଗୋବିନ୍ଦପୁର ବ୍ଲକ୍ ସାରୁମୂଳା ପଂଚାୟତକୁ ପତ୍ର ସଂଖ୍ୟା ୨୦୫୩/୦୭.୦୩.୧୯ ଅନୁସାରେ ୧୦୬ ଜଣ ହିତାଧିକାରୀ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇ ଉପ ଜିଲ୍ଲାପାଲଙ୍କ ମଞ୍ଜୁରୀ ପ୍ରାପ୍ତ ହୋଇଥିଲା । ତେବେ ଏହି ତାଲିକାରେ ପାଖାପାଖି ୧୫ ରୁ ଅଧିକ ସଧବାଙ୍କୁ ବିଧବା ଦର୍ଶାଇ ମଧୁବାବୁ ପେନସନ୍ ଯୋଜନାରେ ବିଧବା ଭତ୍ତା ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାସହ ୫୦ ରୁ ଅଧିକ ଭେଣ୍ଡିଆଙ୍କୁ ମଧ୍ୟ ୬୦ ବର୍ଷ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେଇଥିଲା । ତେବେ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ ଅଭିଯୋଗ ପାଇବାପରେ ସୋସିଆଲ୍ ସିକ୍ୟୁରିଟି ଅଫିସରଙ୍କୁ ଏବିଷୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତକାରୀ ଅଫିସର ଏହି ଘଟଣାର ତଦନ୍ତକରି ସତ୍ୟତା ଥିବାର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ପରେ ଜିଲ୍ଲାପାଳ ବ୍ଲକ୍ ସମାଜ ମଙ୍ଗଳ ଅଧିକାରୀ ରଜନୀଗନ୍ଧା ସିଂଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।

ତେବେ ଏହି ଘଟଣାକୁ ଅଂଚଳବାସୀ ତିବ୍ର ନିନ୍ଦା କରିବା ସହ ଏଥିରେ ଜଡିତ ଥିବା ଅନ୍ୟାନ୍ୟ ସରକାରୀ କର୍ମଚାରୀ ଓ ପ୍ରଚ୍ଛଦ ପଟରେ ରହି ଏହି ଘଟଣାକୁ ରୁପରେଖ ଦେଉଥିବା ଅସାଧୁ ରାଜନୈତିକ ବ୍ୟକ୍ତିଙ୍କ ମୁଖା ଖୋଲିବାକୁ ସାଧାରଣରେ ଦାବି ଜୋର ଧରିଛି । ଚିନ୍ତାର ବିଷୟ ହେଉଛି, ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ଶ୍ରେଣୀର ଲୋକମାନଙ୍କୁ ସହାୟତା ଯୋଗାଇଦେଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ବିକାଶର ଲକ୍ଷ୍ୟ ରଖିଥିବା ବେଳେ ବାସ୍ତବ ଚିତ୍ର ଏହି ଘଟଣାରୁ ଜଣାପଡୁଛି ।