ଥମୁନି ‘କରୋନା’ର କାୟା: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ପାର୍, ମୃତ୍ୟୁ ସଂଖ୍ୟା ୩୮୬୭କୁ ବୃଦ୍ଧି; ଗତ ୨୪ ଘଂଟାରେ କରୋନାରେ ସର୍ବାଧିକ ୬୭୬୭ ନୂଆ ଆକ୍ରାନ୍ତ ଚିହ୍ନଟ

1,240

କନକ ବ୍ୟୁରୋ: ଦେଶରେ ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ୧୪୭ ମୃତ୍ୟୁ । ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୬ ହଜାର ୭୬୭ ଜଣ । ନୂଆ ରାଜ୍ୟ ଭାବେ ସିକିମକୁ ଡେଇଁଛି ଭୂତାଣୁ । ସିକିମରେ ଜଣଙ୍କ ଠାରେ ମିଳିଛି କୋଭିଡ ୧୯ ଭୂତାଣୁ । ଏହାକୁ ମିଶାଇ ଦେଶରେ ମୋଟ୍ ୨୬ ରାଜ୍ୟକୁ ଡେଇଁଛି କରୋନା ସଂକ୍ରମଣ । ସେହିପରି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଭାରତରେ ଶହେରୁ ଅଧିକ ମୁଣ୍ଡ ନେଇଛି କରୋନା । ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ କୁ ବୃଦ୍ଧି ହୋଇଛି ।

ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୮୬୭କୁ ବୃଦ୍ଧି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୮୬୭କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୧ହଜାର ୮୬୮ରେ ପହଂଚିଛି । ତେବେ ତାଜା ସୂଚନା ଅନୁସାରେ, ଗତ ୨୪ ଘଂଟା ମଧ୍ୟରେ ସର୍ବାଧିକ ୬ ହଜାର ୭୬୭ ଜଣ ନୂଆ କରୋନା ଆକ୍ରାନ୍ତ ଠାବ ହୋଇଥିବା ବେଳେ ୧୪୭ଜଣଙ୍କର କରୋନା ମହାମାରୀରେ ଜୀବନ ଯାଇଛି । ତେବେ ଆଶ୍ୱସ୍ତିକର ଖବର ହେଲା କି, କରୋନା ମହାମାରୀ କବଳରୁ ଦେଶରେ ବର୍ତ୍ତମାନ ସୁଦ୍ଧା ୫୪ ହଜାର ୪୪୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ଅନ୍ୟପଟେ ଉଭୟ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୪୭ହଜାର ୧୯୦ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ଶହ ୭୭କୁ ବୃଦ୍ଧି ପାଇଛି । ସେହିପରି ଗୁଜରାଟରେ ୧୩ହଜାର ୬୬୪ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮୨୯କୁ ବୃଦ୍ଧି ପାଇଛି । ସେହିଭଳି ଦିଲ୍ଲୀରେ ୧୨ ହଜାର ୯୧୦ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୨୩୧ । ସେହିପରି ଆନ୍ଧ୍ରପ୍ରଦେଶରେ ୨୭୫୭କରୋନା ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୬ରେ ପହଂଚିଛି । ମଧ୍ୟପ୍ରଦେଶରେ ୬ ହଜାର ୩୭୧ ଜଣ ଆକ୍ରାନ୍ତ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୮୧କୁ ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ।