ଆମେରିକାରେ କାୟା ମେଲାଉଛି କରୋନା: ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୧୫ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ସୂଚନା

ଚୀନ, ଇଟଲୀଠାରୁ ବଳିଗଲା ଆମେରିକା...

3,059

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଭାବେ ଗଣାଯାଉଥିବା ଆମେରିକାରେ ବି କରୋନା ଭାଇରସର ଆତଙ୍କ ଜାରି ରହିଛି । ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଶ୍ଚର୍ଯ୍ୟକର କଥା ହେଲା କି, ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧ ଲକ୍ଷ ଟପିସାରିଲାଣି । ତେବେ ଆମେରିକାରେ ଗତକାଲି ସଂଧ୍ୟା ସୁଦ୍ଧା ୧ ହଜାର ୫୪୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧ ଲକ୍ଷରୁ ଅଧିକ ଲୋକେ କରୋନା ସଂକ୍ରମିତ ଥିବା ସୂଚନା ମିଳିଛି । ସେହିପରି ଅଧିକାଂଶ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନ୍ୟୁୟର୍କରୁ ସାମ୍ନାକୁ ଆସିଛି । ତେବେ କରୋନା ସଂକ୍ରମଣ ମାମଲାରେ ଆମେରିକା ଇଟାଲିଠାରୁ ପାଖାପାଖି ୧୫ ହଜାର ଏବଂ ଚୀନଠାରୁ ୨୦ ହଜାରରୁ ଅଧିକ ଆଗରେ ରହିଛି ।

ସେହିପରି ବିଶ୍ୱ ମହାମାରୀ କରୋନାର ପ୍ରକୋପ ଇଟାଲିରେ ବି ଦେଖିବାକୁ ମିଳିଛି । ଚୀନର ଉହାନରୁ ବାହାରି ୟୁରୋପରେ ଇଟାଲିକୁ ନିଜର କେନ୍ଦ୍ରସ୍ଥଳ ବନାଇଛି ଏହି ମାରାତ୍ମକ ଭୂତାଣୁ । ଗତକାଲି ଗୋଟିଏ ଦିନରେ ଇଟାଲିରେ ୧ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଶରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୮ ହଜାର ଟପିସାରିଲାଣି । ପ୍ରତିଦିନ ୫ଶହରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଇଟାଲି ପାଇଁ ବଡ ସଂକଟ ନେଇଆସିଛି । ଗୁରୁବାର ୭୧୨, ବୁଧବାର ୬୮୩, ମଙ୍ଗଳବାର ୭୪୩, ସୋମବାର ୬୦୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

ତେବେ ଇଂଲଣ୍ଡ, ଜର୍ମାନୀ ଓ ସ୍ପେନ ଭଳି ଅନ୍ୟ ୟୁରୋପୀୟ ଦେଶକୁ ମଧ୍ୟ କରୋନା ଆତଙ୍କ କଲବଲ କରୁଛି । ସମଗ୍ର ୟୁରୋପ କଥା ଦେଖିଲେ ୩ ଲକ୍ଷରୁ ଅଧିକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପଛକୁ ଆମେରିକାରେ କରୋନା ଭୂତାଣୁ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ରହିଛି । ତେବେ ବଡକଥା ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚୀନଠାରୁ ବଢିଯାଇଛି । ଏବେ ସହାୟତା ପାଇଁ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହ ଆଲୋଚନା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।