ଓଡିଶା ବାହାରେ ଅଟକି ରହିଛନ୍ତି ଦେଢଲକ୍ଷ ପ୍ରବାସୀ ଶ୍ରମିକ । ସ୍ଥିତି ନେଇ ସମୀକ୍ଷା କଲେ ସରକାର, କହିଲେ ସୁବିଧା ଯୋଗାଇବା ପାଇଁ ଚାଲିଛି ଉଦ୍ୟମ, ଦିଲ୍ଲୀ, ଗୁଜରାଟ ଓ ମୁମ୍ବାଇରେ ଫଶିଛନ୍ତି ଅଧିକ ଶ୍ରମିକ ।

950

କନକ ବ୍ୟୁରେର: ମହାମାରୀ କରୋନା ପାଇଁ ସାରା ଦେଶରେ ତାଲାବନ୍ଦ ଭିତରେ ବିଭିନ୍ନ ରାଜ୍ୟରୁ ଶ୍ରମିକଙ୍କ ଏଭଳି ଅନୁରୋଧର ଦୃଶ୍ୟ ଆସିବାରେ ଲାଗିଥିଲା । କିନ୍ତୁ ରାଜ୍ୟ ସୀମା ସିଲ୍ ହେବା ପରେ ସେମାନଙ୍କ ଫେରିବା ବାଟ ବି ବନ୍ଦ ହୋଇଯାଇଛି । ବର୍ତମାନର ସ୍ଥିତିରେ ଯିଏ ଯେଉଁଠି ଅଛି ସେଠାରେ ରହିବା ନିହାତି ଆବଶ୍ୟକ ।

ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକ ଓ ପ୍ରବାସୀ ଓଡିଆଙ୍କ ସ୍ଥିତି ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ଗୃହ ସଚିବ ସୂଚନା ଦେଇଛନ୍ତି ..
– ତାଲା ବନ୍ଦ ପରେ ରାଜ୍ୟ ବାହାରେ ଫସିରହିଛନ୍ତି ଦେଢଲକ୍ଷ ଓଡିଆ
– ସେମାନଙ୍କ ମଧ୍ୟରୁ ୪୦ ହଜାର ଶ୍ରମିକ ଚିହ୍ନଟ ହୋଇସାରିଛନ୍ତି
– ସରକାର କରିଥିବା କଂଟ୍ରୋଲ ରୁମକୁ ୫ ହଜାର ୨ ଶହ କଲ ଆସିଛି
– ରାଜ୍ୟ ବାହାରେ ୧୦୦ରୁ ଅଧିକ ଜଣ ଥିବା ୨୩୦ ଟି ଗ୍ରୁପ ଚିହ୍ନଟ ହୋଇଛି
– ଶ୍ରମିକଙ୍କ ବାବଦରେ ନିଯୁକ୍ତ ନୋଡାଲ ଅଫିସର ସରକାରଙ୍କୁ ରିପୋର୍ଟ ଦେଉଛନ୍ତି
– ଏନ୍ସିଆର, ଦିଲ୍ଲୀ, ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡିଆ ଅଛନ୍ତି
– ସେମାନଙ୍କ ରହିବା, ଖାଇବା ଓ ଔଷଧ ବ୍ୟବସ୍ଥା କରାଯାଇଛି

ଏହାରି ଭିତରେ ରାଜ୍ୟ ବାହାରେ ଫସି ରହିଥିବା କିଛି ଶ୍ରମିକ ଭିଡିଓ ଜାରି କରି ଅଭିଯୋଗ କରୁଛନ୍ତିି ଯେ, ୟୁପି, ହରିଆଣା, ରାଜସ୍ଥାନ, କୋଲକାତା, ଚେନ୍ନାଇ ଏବଂ ବାଙ୍ଗାଲୋର ଭଳି ସ୍ଥାନରେ ପ୍ରଶାସନ ଏଯାଏଁ ପହଁଚିପାରିନାହିଁ । ଟୋଲ୍ ଫ୍ରି ନମ୍ବର ମଧ୍ୟ ଲାଗୁନି । ତେବେ ସରକାର କହିଛନ୍ତି ରାଜ୍ୟବାହାରେ ଫଶିଥିବା ପ୍ରବାସୀ ଓଡିଆଙ୍କ ପାଇଁ ସରକାର ଚିନ୍ତିତ ଅଛନ୍ତି ଏବଂ ସ୍ଥିତି ସ୍ୱାଭାବିକ ନହେଲା ଯାଏ ପ୍ରଶାସନ ଅହରହ କାମ ଜାରି ରଖିବ ।