ମାଟ୍ରିକ ପରୀକ୍ଷାରେ କପିର କଳଙ୍କ ! ବିହାରଠୁ ବଳିଗଲା ବଲାଙ୍ଗୀର, ଖୁଲମଖୁଲା ପରୀକ୍ଷାର୍ଥୀଙ୍କୁ ଯୋଗାଯାଉଛି କପି ।

166

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାରେ ଲାଗିଛି କପିର କଳଙ୍କ । ମାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଜାଣିଲେ, ଆପଣଙ୍କୁ ବି ଲାଗିବ, ଯେମିତି କପି କରିବାରେ ବିହାରଠୁ ବଳିଯାଇଛି ଓଡିଶା । ବଲାଙ୍ଗିରରେ ସ୍କୁଲ୍ ପାଚେରୀ ଉପରେ ଚଢି ଝରକା ଦେଇ ପରୀକ୍ଷା କେନ୍ଦ୍ରକୁ ବେଧଡକ କପି ପଠାଯାଉଛି । ଏବଂ ଢେଙ୍କାନାଳରେ ସ୍କୁଲ ପରିସରରେ ପଶି ପିଲାଙ୍କୁ କପି ଯୋଗାଇ ଦିଆଯାଉଛି । ଏହାରି ଭିତରେ ଆଜି ପୁଣି ଆସିଛି ପ୍ରଶ୍ନପତ୍ର ଭାଇରାଲ ନେଇ ଅଭିଯୋଗ । ତେବେ ବୋର୍ଡ ଅଧ୍ୟକ୍ଷ କହିଛନ୍ତି, ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ସହ ଆଜିର ଇଂରାଜୀ ପ୍ରଶ୍ନପତ୍ର ମେଳ ଖାଉନାହିଁ ।

କ୍ଲାସରୁମରେ ପରୀକ୍ଷା ଦେଉଛନ୍ତି ପିଲା । ଆଉ ଏପଟେ ପାଚେରୀ ଉପରେ ଚଢି ପରୀକ୍ଷାର୍ଥୀଙ୍କୁ ଯୋଗାଇ ଦିଆଯାଉଛି କପି । ଝରକା ଭିତର ଦେଇ ବେଧଡକ ପରୀକ୍ଷା କେନ୍ଦ୍ରକୁ କପି ଚାଲାଣ ଚାଲିଛି । ସାରା ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ବଲାଙ୍ଗୀରରୁ ଆସିଛି ଏଭଳି ଅଭାବନୀୟ ଘଟଣା । ଜିଲ୍ଲାର ଘୁନସର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୨୨ ତାରିଖ ମାତୃଭାଷା ପରୀକ୍ଷା ଚାଲିଥିବା ବେଳେ କ୍ୟାମେରାରେ କଏଦ ହୋଇଛି କପି ଚାଲାଣର ଦୃଶ୍ୟ । ଗଣମାଧ୍ୟମରେ ଖବର ପ୍ରସାର ପରେ ପରୀକ୍ଷାକେନ୍ଦ୍ରରେ ତଦନ୍ତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ  ।

ସେପଟେ ବିହାରଠୁ ବଳିଗଲା ବଲାଙ୍ଗୀର ? ଢେଙ୍କାନାଳ ପରୀକ୍ଷାକେନ୍ଦ୍ରରେ ବୁଲିଲା କପି । ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳରେ । ଜିଲ୍ଲାର ଭୁବନ ବ୍ଳକ୍ ପଳାଶପିଠା ପଂଚାୟତିରାଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଲିଛି ଶହ ଶହ କପି । ସ୍କୁଲ ପରିସର ଭିତରେ ପଶି ଝରକା ପଟେ ପରୀକ୍ଷାର୍ଥୀଙ୍କୁ କପି ଦିଆଯାଇଛି । ପରୀକ୍ଷା କେନ୍ଦ୍ରରେ ଶିକ୍ଷକ ଏବଂ ବାହାରେ ପୋଲିସର ପହରା ଥିବା ସତ୍ୱେ, ସେଂଟରରେ କପି କରିଛନ୍ତି ମାଟ୍ରିକ୍ ପରୀକ୍ଷାର୍ଥୀ ।

ମାତୃଭାଷା ପରେ ଇଂରାଜୀ । ହ୍ୱାଟ୍ସଅପରେ ବୁଲିଲା ପ୍ରଶ୍ନପତ୍ର ! ଏପଟେ ପୁଣି ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଛି । ସୋମବାରର ଇଂରାଜୀ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଚର୍ଚ୍ଚା ହେଉଛି । ବଲାଙ୍ଗୀରରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଭାଇରାଲ୍ କ୍ୱେଶ୍ଚିନ ପେପର । ସେଟ ‘ଏ’ର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି । କଳାହାଣ୍ଡିରେ ବି ମାଟ୍ରିକ ଇଂରାଜୀ ପରୀକ୍ଷାର ୨୦ ମିନିଟ୍ ପରେ ପ୍ରଶ୍ନପତ୍ର ଲୋକଙ୍କ ମୋବାଇଲରେ ମିଳୁଥିବା ଅଭିଯୋଗ ହୋଇଛି । ମାଟ୍ରିକ ପରୀକ୍ଷା ଆରମ୍ଭ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇ ୧୧ ଜଣଙ୍କୁ ନିଲମ୍ବନ କରିଛି ବୋର୍ଡ । ୫ ଜଣଙ୍କୁ ଗିରଫ ବି କରାଯାଇଛି । ଏହାରି ଭିତରେ ପୁଣି ଆସିଛି ଇଂରାଜୀ ପ୍ରଶ୍ନପତ୍ର ଲିକ୍ ନେଇ ଅଭିଯୋଗ । ସେପଟେ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି କରାଯିବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ବେଧଡକ ଚାଲିଛି କପି ଚାଲାଣ ।

ସେପଟେ ଆଜିର ପରୀକ୍ଷାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଆଜିର ଇଂରାଜୀ ପରୀକ୍ଷା ଓଏମଆର୍ ସିଟର କ୍ୱେଶ୍ଚିନ୍ ସେଟ୍ କୋଡ୍ ବକ୍ସରେ ଡି- ପ୍ରିଂଟିଂ ହୋଇନଥିଲା । ଏହାପରେ ସମସ୍ତ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଂଟଙ୍କୁ ବୋର୍ଡ ପକ୍ଷରୁ ଚିଠି ଲେଖାଯାଇ, ଡି ଲେଖିବାକୁ କୁହାଯାଇଥିଲା । ଯେଉଁ ପରୀକ୍ଷାର୍ଥୀ ଡି-ସେଟ୍ ପାଇଥିଲେ, ସେମାନଙ୍କ ଓଏମଆର୍ ଖାତାରେ ଡି ଲେଖିବାକୁ ପରୀକ୍ଷା ନିୟନ୍ତ୍ରକ ପରୀକ୍ଷାର୍ଥୀଙ୍କୁ କହିଥିଲେ । ପରୀକ୍ଷାର୍ଥୀଙ୍କ ପାଇଁ ୪ଟି ସେଟ୍ ଥିବା ବେଳେ ଓଏମଆର ସିଟରେ ଏବିସିଡି ଭାବେ ୪ଟି ସର୍କଲ ରହିବା କଥା । ତେବେ ଆଜିର ଓଏମଆର ସିଟରେ ଡି କୋଡ୍ ବକ୍ସ ପ୍ରିଂଟ୍ ହୋଇନଥିଲା । ଏଠି ପ୍ରଶ୍ନ ଉଠୁଛି, ପାଖାପାଖି ୬ ଲକ୍ଷ ପିଲା ଏଥର ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଓଏମଆର୍ ସିଟ୍ ପ୍ରିଂଟିଂ ବେଳେ ପରୀକ୍ଷା ନିୟନ୍ତ୍ରକ କାହିଁକି ଚେକ୍ କରିନଥିଲେ । ପିଲାମାନେ ଯଦି ପେନରେ ଡି କୋଡ୍ ଲେଖିବେ ତେବେ, ତାହା କେମିତି କମ୍ଫ୍ୟୁଟରରେ ସ୍କାନ ହେବ । କଂଟ୍ରୋଲରଙ୍କ ଭୁଲ ପାଇଁ ପରୀକ୍ଷାର୍ଥୀ କାହିଁକି ଚାପରେ ରହିବେ । ଆଜିର ଅବହେଳା ପାଇଁ କିଏ ଦାୟୀ ରହିବ ।