ପୁଣି ପୋଲିସର ବର୍ବରତା : ଯୁକ୍ତିତର୍କରୁ ମଝିରାସ୍ତାରେ ଯୁବକଙ୍କୁ ନିସ୍ତୁକ ପିିଟିଲେ ଥାନାବାବୁ । ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ, ଏସପି କହିଲେ ତଦନ୍ତ ପରେ ନିଆଯିବ କାର୍ଯ୍ୟାନୁଷ୍ଠାନ

41

କନକ ବ୍ୟୁରୋ : ପୁଣି ସାମନାକୁ ଆସିଲା ପୋଲିସର ଆଉ ଏକ ବର୍ବରତାର ଦୃଶ୍ୟ । ବିଚ୍ ବଜାରରେ ଦୋକାନ କର୍ମଚାରୀଙ୍କୁ ମାଡ ମାରି ଲହୁଲୁହାଣ କଲା ପୋଲିସ । ଗତକାଲି ସନ୍ଧ୍ୟାରେ ବରଗଡ ସହରରେ ଘଟିଛି ଏପରି ଅଭାବନୀୟ ଘଟଣା । ସନ୍ଧ୍ୟାରେ ବରଗଡ ପୋଲିସର ପେଟ୍ରୋଲିଂ ବେଳେ ଜଣେ ଦୋକାନ କର୍ମଚାରୀଙ୍କ ସହ ଏକ ସାଧାରଣ କଥାକୁ ନେଇ ଉଚ୍ଚବାଚ ହୋଇଥିଲା । ଫଳରେ ଘଟଣାସ୍ଥଳରେ ବର୍ବରତା ଦେଖାଇଥିଲେ ଖାକି ବର୍ଦ୍ଦି ପିନ୍ଧା ପୋଲିସ ବାବୁ । ଘଟଣାସ୍ଥଳରେ କର୍ମଚାରୀଜଣଙ୍କୁ ନିସ୍ତୁକ ମାଡ ମାରି ଲହୁ ଲୁହାଣ କରି ଦେଇଥିଲେ ପୋଲିସ ବାବୁ । ସେତିକିରେ ରାଗ ଶାନ୍ତ ପଡିନଥିଲା । ପୁଣି ଥାନା ହାଜତକୁ ଆଣି ଆହୁରି ନିର୍ଯାତନା ଦେଇଥିଲା ପୋଲିସ ।

ତେବେ ପୋଲିସର ଏପରି ଦାଦାଗିରିକୁ ନେଇ ବରଗଡବାସୀଙ୍କ ମଧ୍ୟରେ ଦେଖା ଦେଇଥିଲା ଉତେଜନା । ପୋଲିସର ଅତ୍ୟାଚାର ବିରୋଧରେ ଶହ ଶହ ଲୋକ ଥାନା ଘେରାଉ କରିବା ସହ ରାସ୍ତାରୋକ କରିଥିଲେ । ମାଡ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଦ ଧରିଥିଲେ ସହର ବାସିନ୍ଦା । ଘଟଣାସ୍ଥଳରେ ବରଗଡ ବିଧାୟକଙ୍କ ସହ ନଗରପାଳ, ଓକିଲ ସଂଘର କର୍ମକର୍ତ୍ତା ଓ ବ୍ୟବସାୟୀ ସଂଘ ମଧ୍ୟ ରାସ୍ତାରୋକରେ ସାମିଲ ହୋଇଥିଲେ । ତେବେ ବରଗଡ ଅତିରିକ୍ତ ଏସପି ପହଂଚି ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।