IAS ଅଧିକାରୀଙ୍କ କ୍ୱାର୍ଟର ମରାମତି ପାଇଁ ଖର୍ଚ୍ଚ ୬୮ ଲକ୍ଷ । ଝରକା ମଶା ଜାଲି ପାଇଁ ୪ ଲକ୍ଷ, ଭଙ୍ଗା ପାଚେରୀର ମରାମତି ପାଇଁ ଖର୍ଚ୍ଚ ହୋଇଛି ୮ ଲକ୍ଷ ।

4,518

କନକ ବ୍ୟୁରୋ : ସରକାର କା ମାଲ୍ ଦରିଆ ମେଁ ଡାଲ୍ । ହିନ୍ଦୀ ଭାଷାରେ ଏଭଳି ଏକ ଲୋକକଥା ରହିଛି ଯାହାର ଝଲକ ଏବେ ଓଡ଼ିଶାରେ ଦେଖିବାକୁ ମିଳିଛି । ଆରଟିଆଇରେ ଖୋଲିଲା ସରକାରୀ ବାବୁଆଣୀଙ୍କୁ ଅୟସ ଆରାମର ଭାନୁମତୀ ପେଡି । ନିଜର ଅୟସ ଆରାମ ପାଇଁ ସରକାରୀ ଟଙ୍କାକୁ ପାଣି ଭଳି ଖର୍ଚ୍ଚ କରିଛନ୍ତି ସରକାରୀ ବାବୁଆଣୀ । ସୂଚନା ଅଧିକାର ଆଇନ ବଳରେ ସରକାରୀ ବାବୁଆଣୀଙ୍କ ଅୟସ ଆରାମର ପୂରା ପେଡି ଖୋଲିଛି । ସୂଚନା ଅଧିକାର ବଳରେ ମିଳିଛି ସାଂଘାତିକ ତଥ୍ୟ । ଓଡିଶା ଭଲି ଗରିବ ରାଜ୍ୟରେ ବାବୁଆଣୀଙ୍କ ବେପରୁଆ ଖର୍ଚ୍ଚ । ବର୍ତମାନର ସୁନ୍ଦରଗଡ ଜିଲ୍ଲାପାଳ ଥିବା ବରିଷ୍ଠ ଆଇଏଏସ ଅଫିସର ରଶ୍ମିତା ପଣ୍ଡା କିଭଳି ସରକାରୀ ଘରର ମରାମତି ଓ ପୁନରୁଦ୍ଧାର ପାଇଁ ବେପରୁଆ ଭାବେ ସରକାରୀ ଅର୍ଥ ଖର୍ଚ୍ଚ କରିଛନ୍ତି ତାର ତଥ୍ୟ ସାମ୍ନାକୁ ଆସିଛି ।

ଆରଡିଏ ବା ରାଉରକେଲା ଉନ୍ନୟନ କର୍ତୃପକ୍ଷର ଉପାଧ୍ୟକ୍ଷ ଥିବା ସମୟରେ ନିଜ ସରକାରୀ ବାସଭବନର ମରାମତି ପାଇଁ ପ୍ରାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ରଶ୍ମିତା । ରାଉରକେଲାର ସୂଚନା ଅଧିକାର କର୍ମୀ ରଶ୍ମିରଞ୍ଜନ ପାଢୀ ସୂଚନା ଅଧିକାର ବଳରେ ତଥ୍ୟ ମଗାଇବା ପରେ ଖୋଦ ଆରଡିଏ ପକ୍ଷରୁ ଏହି ତଥ୍ୟ ଯୋଗାଇ ଦିଆଯାଇଛି । ରାଉରକେଲା ଉଦିତ୍ ନଗର ଅଂଚଳରେ ଥିବା ଆରଡିଏ ଉପାଧ୍ୟକ୍ଷଙ୍କ ସେହି ସରକାରୀ ବାସଗୃହ । ଯାହାର ମତାମତି ଓ ପୁନରୁଦ୍ଧାର ବାବଦରେ ସେତେବେଳେ ଅପାଧ୍ୟକ୍ଷ ଥିବା ଆଇଏଏସ ରଶ୍ମିତା ପଣ୍ଡା ଖର୍ଚ୍ଚ କରିଥିଲେ ୬୮ ଲକ୍ଷ ୫୭ ହଜାର ୯୫୦ ଟଙ୍କା । ୬ ମାସ ଅବଧି ମଧ୍ୟରେ ଏହି ଟଙ୍କା ଖର୍ଚ୍ଚା କରାଯାଇଥିଲା ।

ସୂଚନା ଅଧିକାର ବଳରେ ମିଳିଥିବା ଏହି ତଥ୍ୟ କହୁଛି ଯେ, କେବଳ ତତକାଳୀନ ଆରଡିଏ ଉପାଧକ୍ଷାଙ୍କ ସରକାରୀ ବାସଭବନରେ ଝରକାରେ ମଶା ଜାଲି ଲଗାଇବାକୁ ଖର୍ଚ୍ଚ ହୋଇଛି ୪ ଲକ୍ଷ, ୪ ହଜାର ୪୭୧ ଟଙ୍କା । ସେହିଭଳି ଟଏଲେଟ୍ ଓ ଘରକୁ ଜଳ ଯୋଗାଣ ପାଇଁ ଖର୍ଚ୍ଚ କରାଯାଇଛି ୪ ଲକ୍ଷ ୩୯ ହଜାର ୨୯ ଟଙ୍କା । ଏହି ତାଲିକା ଖୁବ ଲମ୍ବା । ସରକାରୀ ବାସଭବନରେ ଅତିରିକ୍ତ ଡାଇନିଂ ରୁମ୍ ପାଇଁ ଖର୍ଚ୍ଚ କରାଯାଇଛି ୪ ଲକ୍ଷ ୫ ହଜାର ୨ ଟଙ୍କା । ସାବଗୃହ ଚାରିପଟେ ଥିବା ପାଚେରୀର ଉଚ୍ଚତା ବୃଦ୍ଧି ସହ ମରାମତି ଓ ପୁନରୁଦ୍ଧାର କାମ ପାଇଁ ବ୍ୟୟ ହୋଇଛି ପ୍ରାୟ ୮ ଲକ୍ଷ ଟଙ୍କା । ଏପରିକି ଗାର୍ଡ ରୁମ୍ ବା ସୁରକ୍ଷାକର୍ମୀ ରହିବା ପାଇଁ ଥିବା ଗୃହର ମରାମତିରେ ଖର୍ଚ୍ଚ କରାଯାଇଛି ୪ ଲକ୍ଷରୁ ଅଧିକ ଟଙ୍କା ।

ଓଡିଶା ଭଳି ଏକ ଗରିବ ରାଜ୍ୟରେ ବାବୁଆଣୀଙ୍କ ଅୟସ ଆରାମ ପାଇଁ ସରକାରୀ ଟଙ୍କାର ଆତ୍ମସାତ କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ । ଏପରିକି ସରକାରୀ ନିୟମକୁ ଉଲ୍ଲଂଘନ କରି ଓପନ ଟେଣ୍ଡର ନକରି ୬ ମାସ ଅବଧିରେ ଛୋଟିଆ ଛୋଟିଆ କରି ପୁରା ମରାମତି କାମକୁ କରାଯାଇଛି । ଅତି ଚତୁରତାର ସହ ସମସ୍ତ ବ୍ୟୟ ଅଟକଳକୁ ୫ ଲକ୍ଷ ଭିତରେ ରଖିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।

ତେବେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ପୁରା ଘଟଣାରେ ତତକାଳୀନ ଆରଡିଏ ଉପାଧ୍ୟକ୍ଷ ତଥା ବର୍ତମାନର ସୁନ୍ଦରଗଡ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ । ହେଲେ କାର୍ଯ୍ୟବ୍ୟସ୍ତତା ଦର୍ଶାଇ ସେ ଆମ ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ଆଉ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ସମସ୍ତ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ନିଜର ଅୟସ ଆରାମ ପାଇଁ ସରକାରୀ ଟଙ୍କାକୁ ମନ ଇଚ୍ଛା ଖର୍ଚ୍ଚ କରିଛନ୍ତି ରଶ୍ମିତା । ତେଣୁ ଏହାର ତଦନ୍ତ କରାଯିବା ନେଇ ଦାବି ଜୋର ଧରିଛି ।