ପ୍ରଭୁ ହନୁମାନ ଦଳିତ ନୁହେଁ ବରଂ ଆଦିବାସୀ ! ଜାଣନ୍ତୁ କିଏ କହିଲେ ଏଭଳି କଥା

189

କନକ ବ୍ୟୁରୋ : ବଜରଙ୍ଗବଲୀଙ୍କୁ ନେଇ ଜୋର ଧରୁଛି ବିବାଦ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦଳିତ ହନୁମାନ ବୟାନ ପରେ ଏବେ ଆସିଛି ଆଉ ଏକ ବଡ ବୟାନ । ଏନସିଏସଟି ବା ନ୍ୟାସନାଲ କମିଶନ ଫର ସିଡ୍ୟୁଲ ଟ୍ରାଇବ୍ସ ଅଧ୍ୟକ୍ଷ ନନ୍ଦ କୁମାର କହିଛନ୍ତି ଯେ, ହନୁମାନ ଦଳିତ ନୁହେଁ ବରଂ ଆଦିବାସୀ । ସେପଟେ ରାଜସ୍ଥାନର ସର୍ବ ବ୍ରାହ୍ମିଣ ମହାସଭା ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନୋଟିସ ପଠାଇଛି ।

ଦଳିତ ହନୁମାନ କହି ବିବାଦରେ ଫସିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କ ବୟାନ ପରେ ଏବେ ଏନସିଏସଟି ବା ନ୍ୟାସନାଲ କମିଶନ ଫର ସିଡ୍ୟୁଲ ଟ୍ରାଇବ୍ସ କମିଶନଙ୍କ ବୟାନ ଆହୁରୀ ବିବାଦ ସୃଷ୍ଟି କରିଛି । ତାଙ୍କ କହିବା କଥା ହେଲା ଅନୁସୂଚିତ ଜନଜାତିରେ ହନୁମାନ ଗୋତ୍ର ଥାଏ । ଏବଂ ହନୁମାନ ଦଳିତ ନୁହନ୍ତି ବରଂ ଆଦିବାସୀ । ଆଦିବାସୀଙ୍କ ମଧ୍ୟରେ ବାନର ଗୋତ୍ର ଥାଏ । ଏହି ଆଧାରରେ ହନୁମାନଙ୍କୁ ବାନର ବୋଲି କୁହାଯାଇଛି । ଏବଂ ବାସ୍ତବରେ ପ୍ରଭୂ ଶ୍ରୀରାମଙ୍କ ଭକ୍ତ ହନୁମାନ ଆଦିବାସୀ । ବୁଧବାର ଦିନ ଉତରପ୍ରଦେଶ ଅଲୱରରେ ଏକ ନିର୍ବାଚନୀ ସଭାରେ ବଜରଙ୍ଗବଳି ଦଳିତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ବଢୁଥିବା ବେଳେ ଯୋଗୀଙ୍କୁ ପରାମର୍ଶ ଦେଇଛନ୍ତି ଉତରପ୍ରଦେଶ ରାଜ୍ୟପାଳ ରାମ ନାୟକ । ନିଜ କଥାକୁ ସଭ୍ୟତାର ସହ ଲୋକଙ୍କୁ ସମ୍ମୁଖରେ ରଖିବା ଏବଂ କାହାରି ଭାବନାକୁ କୁଠାରଘାତ ନପହଂଚାଇବା ଗଣତନ୍ତ୍ର ପାଇଁ ନିହାତି ଜରୁରି । ସେପଟେ ରାଜସ୍ଥାନର ସର୍ବ ବ୍ରାହ୍ମିଣ ମହାସଭା ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ ପଠାଇଛି । ବଜରଙ୍ଗବଳିଙ୍କ ସହ କୋଟି କୋଟି ଜନତାଙ୍କ ଭାବନା ଜଡିତ । ଏବଂ ସାମ୍ବିଧାନିକ ପଦରେ ଥିବା ଜଣେ ବ୍ୟକ୍ତି ଭଗବାନ ହନୁମାନଙ୍କୁ ନେଇ ଏପରି କହିବା ଅନୁଚିତ ବୋଲି ସର୍ବ ବ୍ରାହ୍ମିଣ ମହାସଭା କହିଛି । ବଜରଙ୍ଗବଳିଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ  ବୟାନକୁ ନେଇ ବିବାଦ ଜୋର ଧରିଥିବା ବେଳେ ଏବେ ଆଉ ଏକ ବୟାନ ଆସିଛି । ଯାହାକୁ ନେଇ ବିବାଦ ଘନେଇବାରେ ଲାଗିଛି ।