ହିନ୍ଦୁ ମାନଙ୍କ ଦେବତା ପ୍ରଭୁ ହନୁମାନଙ୍କୁ କେନ୍ଦ୍ର କରି ପୁଣି ସୃଷ୍ଟି ହୋଇଛି ଏକ ନୂଆ ବିବାଦ। ପୂର୍ବରୁ ହନୁମାନଙ୍କ ଜାତିକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଏବେ ହନୁମାନଙ୍କ ଧର୍ମକୁ ନେଇ ସୃଷ୍ଟି ହୋଇଛି ବିବାଦ। ଭାରତୀୟ ଜନତା ପାର୍ଟି ନେତା ତଥା ଉତ୍ତରପ୍ରଦେଶ ବିଧାନ ପରିଷଦରେ ବିଜେପି ସଦସ୍ୟ ଥିବା ବୁକ୍କାଲ ନବାବ୍ ଏବେ ଦାବି କରିଛନ୍ତି ଯେ ହନୁମାନ ହେଉଛନ୍ତି ଜଣେ ‘ମୁସଲମାନ୍’ । ଆଉ ନିଜର ଏହି ଦାବୀ ସପକ୍ଷରେ ଯୁକ୍ତି ଦର୍ଶାଇ ବୁକ୍କାଲ ନବାବ୍ କହିଛନ୍ତି, ‘ହନୁମାନଜୀ ଜଣେ ମୁସଲମାନ ଥିଲେ। ସେଥିପାଇଁ ହନୁମାନଙ୍କ ନାମକୁ ଅନୁକରଣ କରି ମୁସଲମାନ ସଂପ୍ରଦାୟରେ ରହେମାନ୍, ରମଜାନ୍, ଫର୍ମାନ, ଜିସହାନ୍, କୁରବାନ୍ ଇତ୍ୟାଦି ନାମକରଣ ହୋଇଥାଏ।’
#WATCH: BJP MLC Bukkal Nawab says "Hamara man'na hai Hanuman ji Muslaman theyy, isliye Musalmanon ke andar jo naam rakha jata hai Rehman, Ramzan, Farman, Zishan, Qurban jitne bhi naam rakhe jaate hain wo karib karib unhi par rakhe jaate hain." pic.twitter.com/1CoBIl4fPv
— ANI (@ANI) December 20, 2018
ବିଜେପି ନେତା ତଥା ଉତ୍ତରପ୍ରଦେଶ ବିଧାନ ପରିଷଦରେ ବିଜେପି ସଦସ୍ୟ ଥିବା ବୁକ୍କାଲ ନବାବଙ୍କ ଏହି ବୟାନ ଏବେ ଦେଶବ୍ୟାପି ବିତର୍କ ଓ ବିବାଦ ସୃଷ୍ଟି କରିଛି। ତେବେ, ପୂର୍ବରୁ ସମାଜବାଦୀ ପାର୍ଟିରେ ମୁଲାୟମ ସିଂହଙ୍କର ଖାସ୍ ଅନୁଗତ ଥିବା ବୁକ୍କାଲ ନବାବ୍ ସମାଜବାଦୀ ପାର୍ଟି ପରିତ୍ୟାଗ କରି ବିଜେପିରେ ଆସି ଯୋଗ ଦେବାପରେ ସବୁବେଳେ କିଛି ନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିବା ସହ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି।
ତେବେ, ବୁକ୍କାଲ ନବାବଙ୍କ ଏ ବୟାନର କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗବାନ ହନୁମାନଙ୍କୁ ‘ଦଳିତ’ କହିଥିବା ବେଳେ ବିଜେପି ନେତା ଜ୍ଞାନ ଦେବ ଆହୁଜା ଏବଂ ଜାତୀୟ ଜନଜାତି କମିଶନର ଅଧ୍ୟକ୍ଷ ନନ୍ଦ କୁମାର ସାଇ ହନୁମାନଙ୍କୁ ‘ଆଦିବାସୀ’ ଏବଂ ବିଜେପି ସାଂସଦ ସାବିତ୍ରୀ ବାଈ ଫୁଲେ ହନୁମାନ ‘ଦଳିତ’ ଏବଂ ‘ମନୁବାଦୀ’ ମାନଙ୍କର ‘ଦାସ’ ଥିଲେ ବୋଲି ମନ୍ତବ୍ୟ ଦେଇ ଦେଶବ୍ୟାପି ବିତର୍କ ଓ ବିବାଦର ସୂତ୍ରପାତ କରିଥିଲେ। ହନୁମାନଙ୍କୁ କେନ୍ଦ୍ର କରି ପୂର୍ବରୁ ସୃଷ୍ଟି ହୋଇଥିବା ବିତର୍କ ଓ ବିବାଦ ଥମି ନଥିବା ବେଳେ ବିଜେପି ନେତା ବୁକ୍କାଲ ନବାବ ହନୁମାନଙ୍କୁ ‘ମୁସଲମାନ’ ବୋଲି କହି ଏ ବିବାଦରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି।