କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଅଧୀନରେ ୧ ଲକ୍ଷ ୩୧ ହଜାର ୫୧୮ ସରକାରୀ ପଦବି ଖାଲି। ଏସବୁ ପଦବି ପୂରଣ ହୋଇଥିଲେ ଗତ ୫ ବର୍ଷରେ ରାଜ୍ୟ ସରକାର ପ୍ରାୟ ୪୦ ହଜାର କୋଟି ଟଙ୍କା ଖର୍ଚ କରିଥାନ୍ତେ। କିନ୍ତୁ ସେହି ଅର୍ଥ ନିଜସ୍ବ ପ୍ରଚାର ପ୍ରସାର ବାବଦରେ ଅପବ୍ୟୟ କରିଥିବା ଅଭିଯୋଗ ଆଣିଛି ପ୍ରଦେଶ କଂଗ୍ରେସ। ଏହି ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟର ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତି ଗ୍ୟାରେଣ୍ଟି ଦେଇଛନ୍ତି।
ଏ ନେଇ ଟ୍ବିଟର ଯୋଗେ ସେ କହିଛନ୍ତି, ଏହା ପ୍ରତିଶ୍ରୁତି ନୁହେଁ। ବରଂ କଂଗ୍ରେସ କ୍ଷମତାକୁ ଆସିଲେ, ସବୁ ଠିକା ନିଯୁକ୍ତିକୁ ସ୍ଥାୟୀ କରିବ। ସବୁ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କୁ ନିୟମିତ କରାଯିବ। ବିଶେଷ କରି ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି କରାଯିବ, ଯାହାଫଳରେ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଯୋଗାଇଦେବାରେ ଏହା ସକ୍ଷମ ହେବ। ରାଜ୍ୟର ଯୁବକଙ୍କୁ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଏ ପଟେ ଗତକାଲି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ ଖାଲିଥିବା ୧.୩୧ ଲକ୍ଷ ସରକାରୀ ପଦବି ପୂରଣ ନହେବା ପଛରେ ରହିଛି ୪୦ ହଜାର କୋଟି ଟଙ୍କାର କାରବାର।
ସରକାରୀ ତଥ୍ୟ ଅନୁଯାୟୀ ଫାଙ୍କା ପଡ଼ିଥିବା ଏ ସମସ୍ତ ପଦବି ପାଇଁ ରାଜକୋଷରୁ ବାର୍ଷିକ ଦରମା ଓ ଭତ୍ତା ବାବଦରେ ୯ ହଜାର କୋଟି ଟଙ୍କା ଏବଂ ବିଗତ ୫ ବର୍ଷ ଭିତରେ ୪୦ ହଜାର କୋଟି ଟଙ୍କା ଦରମା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବାବଦରେ ଖର୍ଚ୍ଚ ହୋଇଥାନ୍ତା। କିନ୍ତୁ ରାଜ୍ୟ ସରକାର ସେହି ଟଙ୍କାକୁ ନିଜର ତଥା ନିଜ ଦଳର ପ୍ରଚାର ଓ ପ୍ରସାର, ବିଜୁ ଯୁବ ବାହିନୀ, ‘କାଳିଆ‘ ଓ ‘ପିଠା‘ ଭଳି ନୂଆ ଯୋଜନା ଆଳରେ ଖର୍ଚ୍ଚ କରିଛନ୍ତି। ଫଳରେ ଲକ୍ଷ ଲକ୍ଷ ବେକାର ଯୁବକଯୁବତୀମାନଙ୍କ ଭବିଷ୍ୟତ ବିପନ୍ନ ହୋଇଛି। ଏହି ପ୍ରସଙ୍ଗରେ ଖାଲିଥିବା ସମସ୍ତ ସରକାରୀ ପଦବିକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବାକୁ କ˚ଗ୍ରେସ ଦାବି କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/NIRANJAN.jpg)
/kanak/media/post_attachments/wp-content/uploads/2018/12/niranjan-300x168.jpeg)
/kanak/media/post_attachments/wp-content/uploads/2019/03/4-3-300x172.jpg)