କମ୍ପ୍ୟୁଟର ଇଂଜିନିୟରରୁ ପାର୍ଲାମେଣ୍ଟ ସିଟ୍ । କୋରାପୁଟରେ କଂଗ୍ରେସକୁ କମବ୍ୟାକ୍ କରି ସମ୍ମାନ ରକ୍ଷା କଲେ ସପ୍ତଗିରି

1,103

କନକ ବ୍ୟୁରୋ: ୨୦୧୯ ମହାଯୁଦ୍ଧରେ ରାଜ୍ୟର ୨୧ ଲୋକସଭା ଆସନରେ ମାଟି କାମୁଡ଼ିଥିବା କଂଗ୍ରେସ ପାଇଁ ସଂଜୀବନୀ ପାଲଟିଲେ ସପ୍ତଗିରି ଉଲ୍ଲାକା । ରାଜନୀତି ମୈଦାନରେ ବେଶୀ ଅଭିଜ୍ଞତା ନରଖିଥିଲେ ମଧ୍ୟ କଂଗ୍ରେସ ପାଇଁ ଏକମାତ୍ର ଲୋକସଭା ଆସନ ଅକ୍ତିଆର କରି ସମ୍ମାନ ବଞ୍ଚାଇଛନ୍ତି ସପ୍ତଗିରି । ନିକଟତମ ବିଜେଡି ପ୍ରାର୍ଥୀ କୌଶଲ୍ୟ ହିକ୍କକାଙ୍କୁ ୩ ହଜାର ୬୧୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରି କଂଗ୍ରେସ ଖାତାକୁ ଦେଇଛନ୍ତି ଗୋଟିଏ ଲୋକସଭା ଆସନର ବିଜୟ ଖୁସି ।

ସବୁଠାରୁ ବଡ଼ କଥା ହେଲା କି, କଂଗ୍ରେସର ଯୁବ ଚେହେରା ଏବେ କଂଗ୍ରେସ ଶିବିର ବାଦ୍ ରାଜ୍ୟ ରାଜନୀତିରେ ବେଶ୍ ପରିଚିତ ହେବାରେ ଲାଗିଲେଣି । କାରଣ ଜଣେ କମ୍ପ୍ୟୁଟର ଇଂଜିନିୟରରୁ ରାଜନୀତି ବ୍ୟାଟେଲ୍ ଗ୍ରାଉଣ୍ଡକୁ ଏଣ୍ଟ୍ରିମାରିବା ସହ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢି ନିର୍ବାଚିତ ହୋଇଛନ୍ତି । ଆଉ ସାମ୍ନାରେ ବିଜେପିର ପୁରୁଖା ନେତା ଜୟରାମ ପାଙ୍ଗୀଙ୍କ ଗଣିତ ବିଗାଡ଼ିବା ସହ ବିଜେଡି ମହିଳା କାର୍ଡକୁ ମଧ୍ୟ ପୁରାପୁରି ଫେଲ୍ କରିଦେଇଛନ୍ତି ସପ୍ତଗିରି । ଯାହା ଏବେ କଂଗ୍ରେସ ଶିବିରକୁ ଉତ୍ସାହିତ କରିଛି ।

ଅବଶ୍ୟ କୋରାପୁଟ ପୂର୍ବରୁ କଂଗ୍ରେସ ଗଡ଼ ଥିବାବେଳେ ସପ୍ତଗିରି ଉଲ୍ଲାକା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକାଙ୍କ ପୁଅ । ତେଣୁ ରାଜନୀତି ପରିବାରରୁ ସମ୍ପର୍କ ରହିଥିବାରୁ ତାଙ୍କ କମ୍ପ୍ୟୁଟର ଶିକ୍ଷା ଏବଂ ରାଜନୀତି ଗୋଟିଚାଳନା କରିବାରେ ସେ ସକ୍ଷମ ହୋଇଛନ୍ତି । ଯେଉଁଥି ପାଇଁ ମୋଟ୍ ୩ଲକ୍ଷ ୭୧ ହଜାର ୧୨୯ ଖଣ୍ଡ ଭୋଟ୍ ପାଇ କୋରାପୁଟବାସୀଙ୍କ ମନ ଜଣିଣିପାରିଛନ୍ତି ସପ୍ତଗିରି ଉଲ୍ଲାକା । ଯେଉଁଥି ପାଇଁ ତାଙ୍କୁ ଏବେ କଂଗ୍ରେସର ହିରୋ ବୋଲି ସମ୍ବର୍ଦ୍ଧନା କରାଯାଉଛି । ଯେଉଁଠି ରାଜ୍ୟ ରାଜନୀତିର ଅନେକ କଂଗ୍ରେସ ହେଭିୱେଟ୍ ପରାଜୟର ଦ୍ୱାର ଦେଖିଛନ୍ତି ତାହାରି ଭିତରେ ସପ୍ତଗିରି ଉଲକା ପରି ଚମକି ଉଠିଛନ୍ତି ।