ମହାରାଷ୍ଟ୍ର ମହାନାଟକ । କଂଗ୍ରେସ ହାତରେ ରହିଛି ସରକାର ଗଢିବା ଚାବିକାଠି ।

224

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସରକାର ଗଠନ ନେଇ କଂଗ୍ରେସ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏହା ଥିଲା ଦଳର କଳ୍ପନା ବାହାରେ । ଯେଉଁଥିପାଇଁ ଦଳ କୌଣସି ନିଷ୍ପତି ନେଇପାରିନଥିଲା ଏବଂ ଦ୍ୱନ୍ଦ୍ୱ ବଢିବାରେ ଲାଗିଲା । ଶେଷରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେଲା । ମହାରାଷ୍ଟ୍ରରେ ବିଜେପି ହାତଛଡା ହୋଇଗଲା ପରେ ବି କ୍ଷମତା ହାତଛଡା କରିବାକୁ ଚାହୁଁନଥିଲା ଶିବସେନା । ବିଚାରଧାରାରେ ଭିନ୍ନତା ଥାଇ ସୁଦ୍ଧା ଶରଦ ପାୱାରଙ୍କ ଏନସିପି ସହିତ ମିଶି ସରକାର ଗଢିବାକୁ ସବୁ କଳ କୌଶଳ ଲଗାଇ ଦେଇଥିଲା । କିନ୍ତୁ ଏଠି ପୁଣି ଅଡୁଆ କଲା କଂଗ୍ରେସର ଦ୍ୱନ୍ଦ୍ୱ ।

ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ଏବେ କଂଗ୍ରେସ ହାତରେ ରହିଛି ଚାବିକାଠି । ତେବେ ୨୦୧୯ ସାଧାରଣ ନିର୍ବାଚନ ପରେ ଦଳର ପରାଜୟ ଦଳକୁ ଦୁର୍ବଳ କରିପକାଇଥିବା ବେଳେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ମହାରାଷ୍ଟ୍ର ପ୍ରସଙ୍ଗରେ କୌଣସି ନିଷ୍ପତି ନେଇପାରୁନାହାନ୍ତି । ଏପରିକି ସାଧାରଣ ନିର୍ବାଚନ ପରେ ଦୀର୍ଘ ଦିନ ଧରି ସଭାପତି ବୀହିନ ହୋଇପଡିଥିଲା ଦେଶର ସବୁଠୁ ପୁରୁଣା ଦଳ । ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିବା ପରେ ଏବେ ଅନ୍ତରୀଣ ସଭାପତି ଭାବେ ଦାୟିତ୍ୱ ତୁଲାଉଛନ୍ତି ସୋନିଆ ଗାନ୍ଧୀ ।

ମହାରାଷ୍ଟ୍ରରେ ସରକାର ଗଠନ କରିବା ଦିଗରେ ଦେଖାଦେଇଥିବା ଅଚଳାବସ୍ଥା ନେଇ କେବେ ଚିନ୍ତା କରିନଥିଲା କଂଗ୍ରେସ । କାରଣ ବିଜେପି ଓ ଶିବସେନା ନିର୍ବାଚନ ପୂର୍ବରୁ ମେଂଟ କରିଥିଲେ । ଏବଂ ଫଳାଫଳ ପରେ ଦୁଇ ମେଂଟ ଦଳ ସରକାର ଗଢିବା ଏକପ୍ରକାର ନିଶ୍ଚିତ ଥିଲା । କିନ୍ତୁ ବିଜେପି ଓ ଶିବସେନା ଏକାଠି ସରକାର ଗଢିବେ ନାହିଁ ଏବଂ ଏପରିସ୍ଥଳେ କଂଗ୍ରେସର ଆବଶ୍ୟକତା ପଡିବ ତାହା କେବେ ଚିନ୍ତା କରିନଥିଲା ଏହି ପୁରୁଣା ଦଳ । ଆଉ ଏସବୁ ଭିତରେ କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ହୋଇପାରୁନି, ଦଳ କରିବ କ’ଣ? କାରଣ ବିଚାରଧାରାରେ ଶିବସେନା ସହ ଖାପ ଖୁଆଉନଥିବା କଂଗ୍ରେସ, ସରକାର ଗଠନରେ ଶିବସେନାକୁ ସମର୍ଥନ କରିବ ନା’ ନିର୍ବାଚନୀ ପରବର୍ତୀ ମେଂଟ ସଂଭାବନାର ଭାଗିଦାର ହେବ ତାକୁ ନେଇ କୌଣସି ସୂଚନା ମିଳିପାରୁନି ।

ଅପରପକ୍ଷରେ ୩୭୦ ପରି ପ୍ରସଙ୍ଗରେ କଂଗ୍ରେସର ନେତାଙ୍କ ମଧ୍ୟ ମତାନ୍ତର ରହିଛି । କେନ୍ଦ୍ରୀୟ ନେତୃତ୍ୱ ଧାରା ୩୭୦ ପ୍ରସଙ୍ଗକୁ ସିଧାସଳଖ ଭାବେ ବିରୋଧ କରୁଥିବା ବେଳେ ମହାରାଷ୍ଟ୍ରର କଂଗ୍ରେସ ନେତା କିନ୍ତୁ ଏହାକୁ ସମର୍ଥନ ଜଣାଇଥିଲେ । ତେଣୁ ଏପରିସ୍ଥିତିରେ ଦିଲ୍ଲୀ ଦରବାରରେ ଯେ କୌଣସି ନିଷ୍ପତି ହେବ ତାକୁ ଯେ ମହାରାଷ୍ଟ୍ର କଂଗ୍ରେସ ମାନିବ ତାହା ମଧ୍ୟ ସଂଶୟରେ ରହିଛି ।

ଏନ୍ସିପି ଓ କଂଗ୍ରେସ ସହ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ସବୁ ବଳ ଲଗାଉଛି ଶିବସେନା । ଏପରି ସ୍ଥିତିରେ କଂଗ୍ରେସର ନିଷ୍ପତି ଉପରେ ରହିଛି ସମସ୍ତଙ୍କ ନଜର । ଏନସିପି ମଧ୍ୟ ଶିବସେନା ସହ ଏକାଠି ସରକାର ଗଠନ କରିବାକୁ ଚାହୁଁଥିବା ବେଳେ କଂଗ୍ରେସର ନିଷ୍ପତି ଉପରେ ପରବର୍ତୀ ପଦକ୍ଷେପ ନିଆଯିବ । ଏହାରି ଭିତରେ ଯଦି କଂଗ୍ରେସ ଏଥିରୁ ଦୂରେଇ ରୁହେ ତେବେ ତାର ପୁରୁଣା ବନ୍ଧୁ ଏନସିପି ମଧ୍ୟ କଂଗ୍ରେସ ଠାରୁ ଦୂରେଇ ଯିବ ।