ପରାଜୟର କାରଣ ଖୋଜିବ କଂଗ୍ରେସ ! ୬ଟି କମିଟି ବୁଲିବେ ୩୦ ଜିଲ୍ଲା, କର୍ମୀ ଓ ନେତା କହିବେ କାହିଁକି ହାରିଲା ଦଳ ।

144

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳ କଂଗ୍ରେସ ଦଳର ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ବିପର୍ଯ୍ୟୟର କାରଣ ଖୋଜିବାକୁ ଗଠିତ ତଥ୍ୟ ଅନୁସନ୍ଧାନ କମିଟିର ପ୍ରଥମ ବୈଠକ ଆଜି ଶେଷ ହୋଇଛି । ଆଉ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କମିଟି ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ଦଳରେ ୬ଟି ସବ-କମିଟି ଗଠନ କରାଯିବ । ପ୍ରତି ସବ-କମିଟି ୫ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ । ଏବଂ ପ୍ରତି କମିଟିରେ ୩ଜଣ ଲେଖାଏଁ ସଦସ୍ୟ ରହିବେ । ଆଉ ସବୁଠାରୁ ବଡ କଥା ହେଉଛି, ଏହି ସଦସ୍ୟମାନେ ନିଜ ଅଞ୍ଚଳକୁ ଯିବେ ନାହିଁ ।

୬ଟି ସବ-କମିଟି ୩୦ଟି ଜିଲ୍ଲା ଗସ୍ତ କରିବେ । ପ୍ରତି ଜିଲ୍ଲାକୁ ଯାଇ ଆଶାୟୀ ପ୍ରାର୍ଥୀ, ସାଧାରଣ ଜନତା. ବୁଦ୍ଧିଜୀବୀ ଏବଂ ଜିଲ୍ଲା କର୍ମକର୍ତ୍ତାଙ୍କ ଠାରୁ ଏହି ସଦସ୍ୟମାନେ ରିପୋର୍ଟ ଆଣିବେ । ବିପର୍ଯ୍ୟୟର କାରଣ ଖୋଜିବା ସହ ନିରାକରଣ ମଧ୍ୟ ଖୋଜିବେ । ଏବଂ ଚଳିତ ମାସ ଶେଷ ସୁଦ୍ଧା ଏହି ସବ-କମିଟି ମାନେ ନିଜ ରିପୋର୍ଟ ଦାଖଲ କରିବେ । ରିପୋର୍ଟ ଅନୁଧ୍ୟାନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର । ସେ ଆହୁରି ମଧ୍ୟ କହିଛନ୍ତି, ପରାଜୟର ତର୍ଜମା କରାଯିବା ସହ ଯଦି ଦରକାର ପଡେ, କଂଗ୍ରେସ ଆଉଥରେ ଲୋକଙ୍କ ପାଖକୁ ଯିବ । କଂଗ୍ରେସ କ’ଣ ପାଇଁ ହାରିଲା ଓ କ’ଣ କଲେ କଂଗ୍ରେସ ସୁଦୃଢ ହୋଇପାରିବ ସେନେଇ ସବିଶେଷ ରିପୋର୍ଟ ଏଆଇସିସିକୁ ଦିଆଯିବ ।