ବିଜେପି ବିରୋଧରେ କଂଗ୍ରେସ ଆଣିଲା ବଡ ଅଭିଯୋଗ ! କହିଲା ୯୦ହଜାର କୋଟି ଟଙ୍କା ଠକିନେଇଥିବା ୨୬ଜଣ ଠକଙ୍କୁ ଫେରାର କରିଛି ମୋଦି ସରକାର ।

26

କନକ ବ୍ୟୁରୋ : ବିଜୟ ମାଲ୍ୟାଙ୍କ ଲୁକଆଉଟ୍ ସର୍କ୍ୟୁଲାର ନୋଟିସରେ ବଦଳାଯିବା ସ୍ପଷ୍ଟ ହେବା ପରେ ମୋଦି ସରକାରକୁ କାଠଗଡାରେ ଠିଆ କରିଛି କଂଗ୍ରେସ । ଏସଆଇଟି ଗଠନ କରି ଏହି ମାମଲାର ତଦନ୍ତ କରିବାକୁ ଦାବି କରିବା ସହ ପ୍ରଧାନମନ୍ତ୍ରୀ ଜବାବ ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହା ସହିତ ବିଜେପି ସରକାର ବିରୋଧରେ ଆଣିଛି ସାଂଘାତିକ ଅଭିଯୋଗ  । କଂଗ୍ରେସ ଅଭିଯୋଗ କରିଛି ଗତ ୪ବର୍ଷ ଭିତରେ ୨୬ ଜଣ ଠକଙ୍କୁ ଦେଶରୁ ଫେରାର କରିଛି ବିଜେପି ସରକାର ।

ଫ୍ରଡଙ୍କ ଫେରାର ପଛରେ କିଏ? ଚୋରଙ୍କୁ ଛାଡିଦେଲେ କିି ଚୌକିଦାର? ଦେଶରୁ ବିଭିନ୍ନ ବ୍ୟାଙ୍କକୁ ୯୦ ହଜାର କୋଟି ଟଙ୍କା ଚୁନା ଲଗାଇଥିବା ୨୬ ଜଣ ଠକ ଦେଶରୁ ଫେରାର ହୋଇଯିବା ପଛରେ ରହିଛି ବିଜେପିର ହାତ । ଏଭଳି ସାଂଘାତିକ ଅଭିଯୋଗ  ଆଣିଛି କଂଗ୍ରେସ । କଂଗ୍ରେସ ପକ୍ଷରୁ କୁହାଯାଇଛି ୪ବର୍ଷ ଭିତରେ ବିଭିନ୍ନ ପର୍ଯ୍ୟାୟରେ ଜନତାଙ୍କ ଟଙ୍କା ଠକି ନେଇଥିବା ୨୬ଜଣଙ୍କ ବ୍ୟାଙ୍କ ଠକଙ୍କୁ ଫେରାର କରାଇବାରେ ସହଯୋଗ କରିଛି କେନ୍ଦ୍ରର ମୋଦି ସରକାର । ଏଥିରେ କେବଳ ବିଜୟ ମାଲ୍ୟା, ନୀରବ ମୋଦି ଓ ମେହଲୁ ଚୋକସି ୨୮ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ସେହିଭଳି ଆଉ ୨୩ଜଣ ୫୪ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ ।

ବିଜୟ ମାଲ୍ୟାଙ୍କ ଲୁକଆଉଟ୍ ନୋଟିସକୁ ବଦଳାଯିବା ସ୍ପଷ୍ଟ ହେବା ପରେ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ସିବିଆଇକୁ କାଠଗଡାରେ ଛିଡା କରିଛି କଂଗ୍ରେସ । ସରକାର ଓ ସିବିଆଇ ଜନତାଙ୍କ ବିଶ୍ୱାସକୁ ଭାଙ୍ଗିଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୁଖପାତ୍ର ଜୟବୀର ସେରଗିଲ୍ । ଏହି ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ସରକାର ଓ ସାମ୍ବିଧାନିକ ସଂସ୍ଥା ସନ୍ଦେହ ଘେରକୁ ଆସିଥିବାରୁ ତଦନ୍ତ କମିଶନ ଗଠନ କରି ଯାଂଚ କରିବା ପାଇଁ ଦାବି କରିଛି କଂଗ୍ରେସ । ବିଜୟ ମାଲ୍ୟା ଅରୁଣ ଜେଟଲୀଙ୍କ ଭେଟିବା ନେଇ ବୟାନ ଦେବା ପରେ ବିରୋଧୀ କଂଗ୍ରେସକୁ ମିଳିଛି ବଡ ପ୍ରସଙ୍ଗ । ତାପରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ । ତେବେ ପ୍ରଶ୍ନ ଉଠୁଛି ଦେଶରୁ କୋଟି କୋଟି ଟଙ୍କା ଠକି ନେଇଥିବା ଏହି ଠକମାନଙ୍କୁ କେବେ ଦେଶକୁ ଫେରାଇ ଆଣିବେ ସରକାର ।