ମୋଦି ସୁନାମିରେ ଦୋହଲିଗଲା କଂଗ୍ରେସ । ହାରିଲେ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୭ ଜଣ ମୁଖ୍ୟମନ୍ତ୍ରୀ ବି ଚିତପଟାଙ୍ଗ ।

419

କନକ ବ୍ୟୁରୋ : ମୋଦି ସୁନାମୀରେ ଦୋହଲିଗଲା କଂଗ୍ରେସ । ହାରିଲେ ଅଧ୍ୟକ୍ଷ, ୭ମୁଖ୍ୟମନ୍ତ୍ରୀ ଚିତପଟାଙ୍ଗ । ବର୍ଷ ବର୍ଷ ଧରି କଂଗ୍ରେସ ଜିତି ଆସୁଥିବା ପାରମ୍ପରିକ ଆସନ ଆମେଠିରେ ଏଥର ଦଳର ମଙ୍ଗୁଆଳଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ । ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିବା ରାହୁଲ, ଉତ୍ତରପ୍ରଦେଶରୁ ପ୍ରତ୍ୟାକ୍ଷିତ ହେବା ପରେ କେରଳ ୱାଇନାଡ୍ ଆସନର ଫଳାଫଳ ସାମାନ୍ୟ ଆଶ୍ୱସ୍ତ କରିଛି ।

କେବଳ କଂଗ୍ରେସ ଅଧ୍ୟକ୍ଷଙ୍କୁ ଯେ, ବଡ ଝଟକା ଲାଗଛି ତାହା ନୁହେଁ, ୨୦୧୯ ନିର୍ବାଚନୀ ମୈଦାନରେ ଥିବା ୭ ଜଣ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଏଥର ବଡ ବିପର୍ଯ୍ୟୟ ସାମ୍ନା କରିବାକୁ ପଡ଼ିଛି । ଇଏ ହେଉଛି ସେହି ୭ ଜଣ ହେବିୱେଟ୍ ନେତାଙ୍କ ଚେହେରା ଯେଉଁମାନେ ଦିନେ କଂଗ୍ରେସରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ଦିଲ୍ଲୀର ୩ଥରର ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧାମ୍୍ ସିଂ ନାଗର, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ସିନେ୍ଧ, ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରପ୍ପା ମୋଇଲି ।

କଂଗ୍ରେସର ପରାଜୟ କେବଳ ନେତାଙ୍କ ଭିତରେ ସୀମିତ ନୁହେଁ, ୨୦୧୯ ନିର୍ବାଚନ ଏଭଳି ପରିଣାମ ନେଇ ଆସିଛି, ଯେଉଁଥିରେ ଏକାଧିକ ରାଜ୍ୟରେ କଂଗ୍ରେସ ସଂପୂର୍ଣ୍ଣ ମୁଳପୋଛ ହୋଇଯାଇଛି । ନଜର ପକାନ୍ତୁ କେଉଁ କେଉଁ ରାଜ୍ୟରେ କଂଗ୍ରେସ ଗୋଟିଏ ବି ଆସନ ଜିତିବାରେ ସମର୍ଥ ହୋଇନାହିଁ । ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଆନ୍ଧ୍ର ପ୍ରଦେଶ, ଜମ୍ମୁ-କାଶ୍ମୀର, ତ୍ରୀପୁରା, ମେଘାଳୟ, ମିଜୋରାମ, ସିକିମ ଏବଂ ମଣିପୁର । ଅନ୍ୟପଟେ ଓଡିଶା ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିବାରେ ସମର୍ଥ ହୋଇଛି । ୨୦୧୯ ନିର୍ବାଚନର ପରିଣାମକୁ ଅତିକ୍ରମ କରି ପୁଣି ଥରେ ଲଢ଼େଇ କରିବାକୁ ହେଲେ କଂଗ୍ରେସ ଦଳକ ହୁଏତ, ଅନେକ ସଂଘର୍ଷ କରିବାକୁ ପଡ଼ିପାରେ ।