କଂଗ୍ରେସରେ ଅଲୋଡା ଶ୍ରୀକାନ୍ତ ଜେନା ! ବିଶୃଙ୍ଖଳା ଆଚରଣ ପାଇଁ ଦଳରୁ ହୋଇପାରନ୍ତି ବିଦା ।

186

କନକ ବ୍ୟୁରୋ : କଂଗ୍ରେସ ଇସ୍ତହାର କମିଟିରୁ ବାଦ୍ ପଡିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଏବେ ଦଳ ପାଇଁ ଅଲୋଡା ହୋଇପଡିଛନ୍ତି । ହାଇକମାଣ୍ଡଙ୍କ କଡା ନିଷ୍ପତି ପରେ ଦଳର ନେତୃତ୍ୱକୁ ଚ୍ୟାଲେଂଜ ଦେବା ଭଳି ବୟାନବାଜି ଆରମ୍ଭ କରି ଦେଇଛନ୍ତି  । ଚର୍ଚ୍ଚା ହେଉଛି, ଏଭଳି ବିଶୃଙ୍ଖଳ ଆଚରଣ ପାଇଁ କଂଗ୍ରେସରୁ ବିଦା ହୋଇପାରନ୍ତି ଶ୍ରୀକାନ୍ତ । ତେବେ ପ୍ରଶ୍ନ ଉଠୁଛି, ଯଦି ଏପରି ହୁଏ, ତେବେ କ’ଣ ହେବ ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତ ।

ବିଦ୍ରୋହୀ ସାଜୁଛନ୍ତି ଶ୍ରୀକାନ୍ତ ଜେନା ! କ’ଣ ହେବ ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତ? କଂଗ୍ରେସ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନା ବିଦା ହେବା ପରେ ଦଳ ଭିତରେ ହୋଇ ପଡିଛନ୍ତି ଅଲୋଡ଼ା । ରାହୁଲଙ୍କ ଛାଟ ବାଜିବା ପରେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି ଶ୍ରୀକାନ୍ତ । ଦଳର ନେତୃତ୍ୱକୁ ଚ୍ୟାଲେଂଜ ଦେବା ଭଳି ଆରମ୍ଭ କରି ଦେଇଛନ୍ତି ବୟାନବାଜି । କେତେବେଳେ ଖଣି ପ୍ରସଙ୍ଗ ଉଠାଇ ରାଜ୍ୟ କଂଗ୍ରେସ ମୁଖିଆଙ୍କୁ ଟାର୍ଗେଟ କରୁଛନ୍ତି ତ କେତେବେଳେ ଦଳିତଙ୍କ ହାତରେ ରାଜ୍ୟ କଂଗ୍ରେସ ନେତୃତ୍ୱ ଦେବାକୁ ଦାବି ଦୋହରାଉଛନ୍ତି । ଏସବୁଥିରେ ରହିଛି ତାଙ୍କର ଗୋଟିଏ ଉଦ୍ଦେଶ୍ୟ, ଦଳର ନେତୃତ୍ୱକୁ ଚ୍ୟାଲେଂଜ ଦେବା । ଏପରକିି ତାଙ୍କ ସପକ୍ଷରେ ଜନମତ ପାଇଁ ଘର ଘର ବୁଲିବେ ବୋଲି କହୁଛନ୍ତି ଶ୍ରୀକାନ୍ତ । 

ଜନତା ଦଳ ହେଉ କି କଂଗ୍ରେସ, ଯେଉଁ ଦଳରେ ଥିଲେ ବି ମନ୍ତ୍ରୀପଦ ହାତେଇବାରେ ବେଶ ପାରଙ୍ଗମ ରହିଛନ୍ତି ଶ୍ରୀକାନ୍ତ ଜେନା । ଏବେ ନୂଆ ପିସିସି ଗଢ଼ାହେବା ପରେ ତାଙ୍କର ପତିଆରା ହ୍ରାସ ପାଉଥିବାରୁ ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ । ସେପଟେ ଦଳ ମଧ୍ୟରେ ଶ୍ରୀକାନ୍ତ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ କରୁଛନ୍ତି ବରିଷ୍ଠ କଂଗ୍ରେସ ନେତା । ନିରଂଜନଙ୍କ ନେତୃତ୍ୱରେ ପୁଣି ଥରେ କଂଗ୍ରେସ ସଂଗଠନକୁ ମଜବୁତ କରିବାକୁ ଉଦ୍ୟମ ହେଉଥିବା ବେଳେ ଶ୍ରୀକାନ୍ତଙ୍କ ବିଦ୍ରୋହୀ ମନୋଭାବ ଦଳକୁ ଅଡୁଆରେ ପକାଉଛି । 

ଏବେ ଚର୍ଚ୍ଚା ହେଉଛି ଯେ ବିଶୃଙ୍ଖଳା ଆଚରଣ ପାଇଁ କଂଗ୍ରେସରୁ ବିଦା ହୋଇପାରନ୍ତି ଶ୍ରୀକାନ୍ତ । ତେବେ ପ୍ରଶ୍ନ ଉଠୁଛି, ଯଦି ଏପରି ହୁଏ, ତେବେ କ’ଣ ହେବ ଶ୍ରୀକାନ୍ତଙ୍କ ରାଜନୈତିକ ଭବିଷ୍ୟତ । ବିଜେଡି ସହ ଶ୍ରୀକାନ୍ତଙ୍କ ସଂପର୍କ ଭଲ ନୁହେଁ । ସେପଟେ ବିଜେପି ସହ ମଧ୍ୟ ତାଙ୍କର ମତଭେଦ ରହିଛି । ଏଭଳି ସ୍ଥିତିରେ ଯଦି ଶ୍ରୀକାନ୍ତ ଦଳରୁ ବାଦ ପଡନ୍ତି, ତେବେ ତାଙ୍କ ରାଜନୈତିକ କ୍ୟାରୟରରେ ଏକପ୍ରକାର ପୂର୍ଣ୍ଣଛେଦ ପଡିଯିବ ବୋଲି ସମୀକ୍ଷକମାନେ ଆକଳନ କରୁଛନ୍ତି ।