ବିଧାୟକଙ୍କ ନିର୍ଦଳୀୟ ପଦଯାତ୍ରା ! କାହାପାଇଁ ଥିଲା ଶକ୍ତି ପ୍ରଦର୍ଶନ ? ଚର୍ଚ୍ଚାରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରା ।

ଦଳୀୟ ଚିହ୍ନ, ପତାକା କି ପୋଷ୍ଟର ବିନା ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଚର୍ଚ୍ଚାକୁ ଆସିଛନ୍ତି ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ।

315

କନକ ବ୍ୟୁରୋ: ଚର୍ଚ୍ଚାରେ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ‘ଆସନ୍ତୁ ଚାଲିବା’ ପଦଯାତ୍ରା କାର୍ଯ୍ୟକ୍ରମ । ଦଳୀୟ ଚିହ୍ନ, ପତାକା କି ପୋଷ୍ଟର ବିନା ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଚର୍ଚ୍ଚାକୁ ଆସିଛନ୍ତି ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା । କାରଣ ପ୍ରକାଶ ଏଭଳି ପଦଯାତ୍ରା ପ୍ରକାଶଙ୍କ କଡ଼ ଲେଉଟାଣି ବୋଲି ରାଜନୀତି ଅନ୍ଦର ମହଲରେ ଚର୍ଚ୍ଚା ଜୋର ଧରିଛି । ଗତ କିଛି ଦିନ ହେବ ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତାଙ୍କୁ ଦଳରୁ ବିଦା କରିବା ଏବଂ ଆଉ କିଛି ନେତା ‘ହାତ’କୁ ବାଏ ବାଏ କହିବା ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି । ଏପଟେ ସାଲେପୁର କଂଗ୍ରେସ ବିଧାୟକ ମଧ୍ୟ ସମାନ ଡ଼ଙ୍ଗାରେ ପାଦ ଦେଇଥିବା ବୋଲି ଶୁଣିବାକୁ ମିଳୁଛି । ବିନା କୌଣସୀ କଂଗ୍ରେସ ପତାକା କି ଚିହ୍ନ କିମ୍ବା ପୋଷ୍ଟରକୁ ବାଦ୍ ଦେଇ ବିଶାଳ ରାଲି କରିଛନ୍ତି ପ୍ରକାଶ ।

ଗୋଟିଏ ପଟେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ପ୍ରକାଶଙ୍କ ପଦଯାତ୍ରା କାର୍ଯର୍୍ୟକ୍ରମ । ଏନେଇ ପ୍ରକାଶ କହିଛନ୍ତି ଯେ, “ଏହି ପଦଯାତ୍ରା କେବଳ ମୋ ନିର୍ବାଚନ ମଣ୍ଡଳୀଙ୍କ ସମର୍ଥନ କେତେ ମୋ ପ୍ରତି ରହିଛି ତାହା ଦେଖିବାକୁ ଏହି ରାଲି କରିଛି । ସେଥିପାଇଁ ଏହି କାର୍ଯ୍ୟକ୍ରମରେ କୌଣସି ଦଳୀୟ ପତାକା କି ପୋଷ୍ଟର ବ୍ୟବହାର କରିନାହିଁ । ତଥାପି ମୋ ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ସମର୍ଥନ ଆଶା ଠାରୁ ଅଧିକ ହୋଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ସେପଟେ ସମାଲୋଚକଙ୍କୁ ଜବାବ୍ ଦେଇ ପ୍ରକାଶ କହିଛନ୍ତି, ଯେଉଁମାନେ ମୋର ଦଳବଦଳ କରିବା ସହିତ ଏହି କାର୍ଯ୍ୟକ୍ରମକୁ ଯୋଡୁଛନ୍ତି ସେମାନେ ଥରେ ବିନା ଦଳୀୟ ଚିହ୍ନ କି ପୋଷ୍ଟର ସହାୟତାରେ ଏଭଳି କାର୍ଯ୍ୟକ୍ରମ ମୋ ଅଞ୍ଚଳରେ କରନ୍ତୁ ତା’ପରେ ଦେଖିବା କାହାର କେତେ ସମର୍ଥକ ଅଛନ୍ତି ବୋଲି କହି ଚ୍ୟାଲେଞ୍ଜ ଦେଇଛନ୍ତି ପ୍ରକାଶ ।

ଗୋଟିଏ ପଟେ ସାଲେପୁରରେ ବିଜେପି ଅଧ୍ୟକ୍ଷ ଶାହାଙ୍କ ସମାବେଶ ଆଉ ଅନ୍ୟପଟେ ପ୍ରକାଶ ବେହେରାଙ୍କ ବିନା ଦଳୀୟ ଚିହ୍ନରେ ପଦଯାତ୍ରା କଡ଼ଲେଉଟାଣିର ସଂକେତ ଦେଉନି ତ? ପଦଯାତ୍ରା କରି ପ୍ରକାଶ କାହାକୁ ଶକ୍ତି ପ୍ରଦର୍ଶନ ଦେଖାଉଥିଲେ? କ’ଣ ନବ ଦାସଙ୍କ ଭଳି ବିଜେଡି ସୁପ୍ରିମୋଙ୍କୁ ଖୁସ୍ କରିବା ପାଇଁ ସମର୍ଥକଙ୍କୁ ନେଇ ଗୋଟି ଚାଳନା କରୁନାହାନ୍ତି ତ କଂଗ୍ରେସ ବିଧାୟକ ପ୍ରକାଶ ବେହେରା? ପଶ୍ଚିମ ଓଡ଼ିଶାର ନବ ଦାସଙ୍କ ପରେ ଉପକୂଳ ଓଡ଼ିଶାରୁ ଖୁବ୍ ଶୀଘ୍ର ଶଙ୍ଖ ଫୁକିବେ କି ସାଲେପୁର ବିଧାୟକ ? ଏଭଳି ପ୍ରଶ୍ନ ଏବେ ପ୍ରକାଶଙ୍କ ର୍ୟାଲି ପରେ ଉଠିବାରେ ଲାଗିଛି ।