ରାହୁଲଙ୍କୁ ସଭାପତି କରିବାକୁ କଂଗ୍ରେସର ରଣନୀତି ପ୍ରସ୍ତୁତ : ଆଜି ସୋନିଆ ଗାନ୍ଧିଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ

18

କନକ ବ୍ୟୁରୋ :  ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବା ପାଇଁ କସରତ ଜୋରଦାର ହୋଇଛି । ମିଳିଥିବା ଖବର ଅନୁସାରେ, ଆସନ୍ତା ୨୪ ତାରିଖରେ ରାହୁଲ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେଇପାରନ୍ତି । ଆଜି ଏ ନେଇ ଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି ।

୧୦ ଜନପଥରେ ହେବାକୁ ଥିବା ବୈଠକରେ ରାହୁଲଙ୍କୁ ସଭାପତି କରିବା ଓ କଂଗ୍ରେସ ୱାର୍କିଙ୍ଗ କମିଟବୈଠକ ନେଇ ଏଜେଣ୍ଡା ପ୍ରସ୍ତୁତ କରାଯିବ । ସୁତ୍ର ଅନୁସାରେ, ୨୪ ତାରିଖରେ ରାହୁଲ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ନେବା ଏକପ୍ରକାର ନିଶ୍ଚିତ । ଆଜିର ବୈଠକରେ ଏହା ଉପରେ ମୋହର ମରାଯିବ । ବିଭିନ୍ନ ରାଜ୍ୟର ପିସିସି ରାହୁଲଙ୍କୁ ସଭାପତି କରାଯିବା ନେଇ ପ୍ରସ୍ତାବ ପାଶ କରିସାରିଛନ୍ତି ।

ଗତ କିଛି ଦିନ ଧରି ରାହୁଲ ପ୍ରଚାର ଶୈଳୀରେ ପରିବର୍ତନ ଆସିଛି । ଗୁଜରାଟ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ଆକ୍ରମଣ କରି ଚର୍ଚ୍ଚାରେ ଅଛନ୍ତି ଯୁବରାଜ । ଆଗାମୀ ହିମାଚଳ ଓ ଗୁଜରାଟ ବିଧାନସଭା ନିର୍ବାଚନ ରାହୁଲଙ୍କ ନେତୃତ୍ୱରେ ଲଢିବା ଲାଗି କଂଗ୍ରେସ ସ୍ଥିର କରିଛି ।

ରାହୁଲଙ୍କୁ ସଭାପତି କରିବା ପାଇଁ କଂଗ୍ରେସର ରଣନୀତି  –

ମିଳିଥିବା ଖବର ଅନୁସାରେ, କଂଗ୍ରେସ ୱାର୍କିଙ୍ଗ କମିଟିର ବୈଠକ ୨୪ ତାରିଖ କିମ୍ବା ଏହା ପରେ ହୋଇପାରେ । ଦଳର ସବୁ ବଡ ନିଷ୍ପତି ନେଉଥିବା ଏହି କମିଟି ରାହୁଲ ଗାନ୍ଧିଙ୍କୁ ସଭାପତି କରାଯିବା ନେଇ ଘୋଷଣା କରିପାରେ । କଂଗ୍ରେସ ୱାର୍କିଙ୍ଗ କମିଟି ପାଖରେ ଦଳର ସଭାପତି ଚୟନ ଅଧିକାର ରହିଛି । କଂଗ୍ରେସ ଯୁବରାଜଙ୍କୁ ସଭାପତି କରିବା ପାଇଁ ଦଳରେ ଏକମତ ରହିଛି । ତେଣୁ ତାଙ୍କୁ ସଭାପତି ଘୋଷଣା କରିବାରେ ୱାର୍କିଙ୍ଗ କମିଟି ପାଖରେ କୌଣସି ସମସ୍ୟା ନାହିଁ । କଂଗ୍ରେସ ୱାର୍କିଙ୍ଗ କମିଟିରେ ୧୦ ଜଣ ମନୋନୀତ ଓ ୧୦ ଜଣ ନିର୍ବାଚିତ ସଦସ୍ୟ ଅଛନ୍ତି । ଏହାଛଡା କିଛି ନିମନ୍ତ୍ରିତ ସଦସ୍ୟ ମଧ୍ୟ କମିଟିରେ ଅଛନ୍ତି ।