ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଉଦ୍ୟମ । ବିଳମ୍ବିତ ରାତି ଯାଏଁ କଂଗ୍ରେସ-ଏନସିପିର ବୈଠକ, ଶିବସେନାକୁ ସମର୍ଥନ କରିପାରେ କଂଗ୍ରେସ

584

କନକ ବ୍ୟୁରୋ : ରାଷ୍ଟ୍ରପତି ଶାସନ ଜାରି ସତ୍ୱେ ମହାରାଷ୍ଟରେ ସରକାର ଗଠନ ପାଇଁ ଉଦ୍ୟମ ଜାରି ରହିଛି । ଗତକାଲି ବିଳମ୍ବିତ ରାତି ଯାଏଁ ମୁମ୍ବାଇରେ ଏନସିପି-କଂଗ୍ରେସ ନେତାଙ୍କ ବୈଠକ ଜାରି ରହିଥିଲା । ବୈଠକରେ ଦୁଇଦଳର ବରିଷ୍ଠ ନେତା ସାମିଲ ହୋଇଥିଲେ । ଖବର ଅନୁସାରେ, ସର୍ବନିମ୍ନ କାର୍ଯ୍ୟସୂଚୀ ଆଧାରରେ ଶିବସେନାକୁ ସମର୍ଥନ କରିପାରେ କଂଗ୍ରେସ । ରାଜ୍ୟରେ କୌଣସି ଦଳ ବା ମେଂଟ ସରକାର ଗଠନ କରିନପାରିବା ଫଳରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ।

ଏହାସତ୍ୱେ ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ଜାରି ରହିଛି  । ରାଜ୍ୟରେ ବିଜେପି-ଶିବସେନା ମେଂଟ କରି ନିର୍ବାଚନ ଲଢିଥିଲେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ମେଂଟ ଭାଙ୍ଗିଯାଇଛି । ସମସ୍ତଙ୍କ ନଜର ଏବେ ଏବେ ଏନସିପି-କଂଗ୍ରେସ ଉପରେ ରହିଛି । କଂଗ୍ରେସର ଗୋଟିଏ ଗୋଷ୍ଠୀ ଶିବସେନାକୁ ସମର୍ଥନ ସପକ୍ଷରେ ଥିବାବେଳେ ଗୋଟିଏ ଗୋଷ୍ଠୀ ବିରୋଧ କରୁଛନ୍ତି । ବିଧାନସଭାରେ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ୪୪ ଆସନ ପାଇଛନ୍ତି ।