ଦିଲ୍ଲୀ ଗଲେ ତିନି କଂଗ୍ରେସ ନେତା ! କିଛି ଦିନର ନିରବତା ପରେ ପୁଣି ପିସିସି ସଭାପତି ପଦ ନେଇ ଚର୍ଚ୍ଚା

39

କନକ ବ୍ୟୁରୋ: କିଛି ଦିନର ନୀରବତା ପରେ ଚଳଚଂଚଳ ହୋଇଛି ଓଡିଶା କଂଗ୍ରେସ । ପିସିସି ସଭାପଦି ପଦକୁ ନେଇ ପୁଣି ଆରମ୍ଭ ହୋଇଛି ଅଙ୍କ କଷା ,ଚର୍ଚ୍ଚା । ଆଜି ଦିଲ୍ଲୀ ଗସ୍ତ କରିଛନ୍ତି କଂଗ୍ରେସର ତିନି ହେଭିୱେଟ ନେତା ନିରଞ୍ଜନ ପଟ୍ଟନାୟକ,ବିରୋଧୀ ଦଳ ନେତା ନରସିଂହ ମିଶ୍ର,ଓ ଅନନ୍ତ ସେଠୀ । ତେବେ ବ୍ୟକ୍ତିଗତ କାମରେ ଯାଉଥିବା ନରସିଂହ ମିଶ୍ର ଗଣମାଧ୍ୟମକୁ କହିଥିବା ବେଳେ ବରିଷ୍ଟ କଂଗ୍ରେସ ନେତା ଅନନ୍ତ ସେଠୀଙ୍କ ବକ୍ତବ୍ୟ ରାଜନୈତିକ ଚର୍ଚ୍ଚାକୁ ଇନ୍ଧନ ଯୋଗାଇଛି । ଓଡିଶା ପିସିସି ସଭାପତି ପାଇଁ ନିରଞ୍ଜନ ଏକମାତ୍ର ପ୍ରାର୍ଥୀ ବୋଲି କହି ପୁଣି ତାଙ୍କ ତଥାକଥିତ ବିରୋଧିଙ୍କୁ ଜବାବ ଦେଇଛନ୍ତି ।

ପିସିସି ସଭାପତି ନିରଞ୍ଜନ ହେଲେ ଓଡିଶା କଂଗେସରେ ନୂତନ ଆଶା ସଂଚାର ହେବ ବୋଲି ଅନନ୍ତ କହିଛନ୍ତି । ଓଡିଶା କଂଗ୍ରେସର ବିକାଶ ପାଇଁ ନିରଞ୍ଜନ ଯୋଗ୍ୟ ବୋଲି ଦିଲ୍ଲୀ ଗସ୍ତ ପୂର୍ବରୁ କହିଛନ୍ତି ବରିଷ୍ଟ କଂଗ୍ରେସ ନେତା ଅନନ୍ତ ସେଠୀ । ଆସନ୍ତାକାଲି ଏଆଇସିସି ନେତାଙ୍କୁ ଏହି ତିନି ନେତା ଭେଟିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ତେବେ କୌଣସି ପ୍ରାକ ସୂଚନା ନଥାଇ ହଠାତ୍ ଦିଲ୍ଲୀ ଗସ୍ତ ଅନେକଙ୍କୁ ଚକିତ କରିଛି । ଗତ କିଛିଦିନ ହେବ ରାଜ୍ୟ କଂଗ୍ରେସର ସ୍ଥିତିକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ସନ୍ଦେହ ଦେଖାଦେଇଛି । ଲୋକଙ୍କ ମନରୁ କଂଗ୍ରେସ ହଜିବାକୁ ବସିଲାଣି । ଦଳର କୌଣସି କାର୍ଯ୍ୟକ୍ରମ ନାହିଁ । ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଉଥିବା ବେଳେ କଂଗ୍ରେସ ଶିବିର ଏକଦମ୍ ଚୁପ୍ । ରାଜ୍ୟର ଅନେକ ପ୍ରସଙ୍ଗ ଥିଲେ ବି ରାଜ୍ୟନେତୃବୃନ୍ଦଙ୍କ ଗତି ନେଇ କିଛି ଜଣାପଡୁନାହିଁ । କେବଳ ଦଳୀୟ କନ୍ଦଳରେ ମାତିଛନ୍ତି ବିଭିନ୍ନ ଗୋଷ୍ଟୀର ନେତା । ମଝିରେ ମଝିରେ ନିରଞ୍ଜନଙ୍କ ସପକ୍ଷରେ ମତ ରଖି ଦଳୀୟ କନ୍ଦଳକୁ ପଦାରେ ପକାଇଛନ୍ତି ।

ତେବେ ଅନନ୍ତ ସେଠୀ ପୁଣି ଥରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ସପକ୍ଷରେ ଓକିଲାତି କରିଛନ୍ତି । ସେ କହିଛନ୍ତି, ରାଜ୍ୟ କଂଗ୍ରେସକୁ ବଂଚାଇବାକୁ ହେଲେ ନିରଞ୍ଜନ ପିସିସି ସଭାପତି ହେବା ଜରୁରୀ । ବିଳମ୍ବରେ ହେଲେ ବି ହାଇକମାଣ୍ଡ ଠିକ ନିଷ୍ପତି ନେବେ ବୋଲି ଅନନ୍ତ କହିଛନ୍ତି । ୨୪ ତାରିଖ ପୂର୍ବରୁ ରାଜ୍ୟ କଂଗ୍ରେସ ସାଙ୍ଗଠନିକ ନିର୍ବାଚନ ସରିବ । ଏହା ପୂର୍ବରୁ ରାଜ୍ୟ ପିସିସିରେ ପରିବର୍ତନ ହୋଇପାରେ ବୋଲି ଅନନ୍ତ ସଙ୍କେତ ଦେଇଛନ୍ତି ।

ସେପଟେ ପିସି ସି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛନ୍ତି ବରିଷ୍ଠ କଂଗ୍ରେସ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର । ନିଜ ପରିବାରରୁ କେହି ରାଜନୀତିକୁ ଆସିଲେ ସେ ମନାକରିବେ ନାହି ବୋଲି କହିଛନ୍ତି । ଏ ନେଇ ସମ୍ବିାଧାନରେ କୌଣସି ନିୟମ ନଥିବା ସ୍ପଷ୍ଟ କରିଛନ୍ତି ନରସିଂହ ।