କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ। କହିଲା, କାଳିଆ ଅଯୋଗ୍ୟ ହିତାଧିକାରୀ ବାବଦରେ ବିଧାନସଭାରେ ଭୁଲ ତଥ୍ୟ ଦେଇଛନ୍ତି କୃଷିମନ୍ତ୍ରୀ

ନିର୍ବାଚନୀ ଫାଇଦା ପାଇଁ କାଳିଆ ଯୋଜନାକୁ କରାଯାଇଛି ବ୍ୟବହାର

704

କନକ ବ୍ୟୁରୋ: କାଳିଆ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ନିର୍ବାଚନୀ ଫାଇଦା ପାଇଁ କାଳିଆ ଯୋଜନାକୁ ବ୍ୟବହାର କରାଯାଇଛି । ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଭୁଲ ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ଭୁଲ ତଥ୍ୟ ନେଇ ଗୃହର ଅବମାନନା କରିଛନ୍ତି ମନ୍ତ୍ରୀ । କୃଷି ମନ୍ତ୍ରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଫାଇଭ ଟି ବ୍ୟବହାର କରନ୍ତୁ ବୋଲି କଂଗ୍ରେସ କହିଛି । ଅରୁଣ ସାହୁଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ସତ୍ୟ ନାୟକ କହିଛନ୍ତି କି, କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁ ପବିତ୍ର ବିଧାନସଭା ଗୃହରେ ଯେଉଁ ତଥ୍ୟ ଉପସ୍ଥାପନା କରିଥିଲେ ତାହା ସଂପୂର୍ଣ୍ଣ ରୂପେ ଭୁଲ ଅଟେ । ମନ୍ତ୍ରୀ ଅସଲି ଚିଠା ପରିବର୍ତ୍ତେ ନକଲି ଚିଠା ଉପସ୍ଥାପନା କରିଛନ୍ତି । ତେବେ ଆରଟିଆଇ ତଥ୍ୟରେ ଗତ ଅକ୍ଟୋବର ମାସ ସୁଧା ୧ଲକ୍ଷ ୭୨ ହଜାର ୯୦୮ ଜଣ ଅଯୋଗ୍ୟ କାଳିଆ ହିତାଧିକାରୀ ସାମିଲ ଅଛନ୍ତି ବୋଲି ତଥ୍ୟ ରହିଛି । କିନ୍ତୁ ମନ୍ତ୍ରୀ ଗୃହରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି କହିଥିଲେ । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ତଥା ଅରୁଣ ସାହୁ ଯେଉଁ ଚିଠା ଦେଇଥିଲେ ତାହା ଥିଲା ନକଲି ଚିଠା । କାରଣ ମୋଟ ୩୦ ଜିଲ୍ଲାର ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ବୋଲି ସେ ବିଧାନସଭାରେ ରିପୋର୍ଟ ଦେଇଥିଲେ ।

କିନ୍ତୁ ମାତ୍ର ୧୦ଟି ଜିଲ୍ଲାର ଆରଟିଆଇ ତଥ୍ୟ କହୁଛି କି, କୋରାପୁଟ ଜିଲ୍ଲାରେ ୧୫ ହଜାର ୨୫୫ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ କେବଳ ସୁବର୍ଣ୍ଣପୁରରେ ୩୭ ହଜାର ୭୫୯ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନତି । ସେହିଭଳି ଖୋର୍ଧାରେ ୧୮ ହଜାର ୫୫୨, ଗଂଜାମରେ ୧୯ ହଜାର ୯୮୦ , ମୟୂରଭଂଜରେ ୧୪ ହଜାର ୧୭, ମାଲକାନଗିରିରେ ୯ ହଜାର ୮୫୨ , ସୁନ୍ଦରଗଡ ୧୧ହଜାର ୫୪୨, ସମ୍ବଲପୁର ୧୦ ହଜାର ୫୦ ଏବଂ ଜଗତସିଂହପୁର ୧୫ ହଜାର ୮୯୧ ଜଣ ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ତେବେ ମାତ୍ର ୧୦ଟି ଜିଲ୍ଲାର ମୋଟ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ହେଲା ୧ ଲକ୍ଷ ୭୨ ହଜାର ୯୦୮ ଅର୍ଥାତ୍ ୮୬ କୋଟିରୁ ଅଧିକ ଟଙ୍କରା ହେରଫେର ହୋଇଛି ଆଉ ମନ୍ତ୍ରୀଙ୍କ ଉପରେ କଣ ଚାପ ପଡିଲା , କିଏ ଚାପ ପକାଇଲା ଏ କାଳିଆ କେଳେଙ୍କାରୀରୁ ବଂଚିବା ପାଇଁ ଆଉ ଅସଲି ଚିଠାକୁ ଚାପି ଦେଇ ଗୋଟେ ନକଲି ଚିଠାର ଉତର ଦେଲେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ ।