ଯାଜପୁରର ୫ଟି ବ୍ଲକର ୧୩ଟି ଅଂଚଳରୁ ହଟିଲା ଅବରୋଧ: ଆଉ ନୂଆ ଆକ୍ରାନ୍ତ ଚିହ୍ନଟ ହେଉ ନଥିବାରୁ ପଦକ୍ଷେପ ନେଲା ଜିଲ୍ଲା ପ୍ରଶାସନ

ସେପଟେ ଝାରସୁଗୁଡାରେ ୫ବର୍ଷର ଶିଶୁ କରୋନା ପଜିଟିଭ୍ । ସୁନ୍ଦରଗଡ ଜିଲ୍ଲାପାଳଙ୍କ ସୂଚନା ୫ ଜଣ ମହାରାଷ୍ଟ୍ର ଫେରନ୍ତା ସଂକ୍ରମିତ

440

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଯାଜପୁର ବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର । ଜିଲ୍ଲାର ୫ଟି ବ୍ଳକର ୧୩ ଟି କଂଟେନମେଂଟ ଜୋନ୍ ବା ଅବରୋଧ ଅଂଚଳକୁ ହଟାଇ ଦେଇଛି ପ୍ରଶାସନ । ସେଥିମଧ୍ୟରେ ରହିଛି ଦଶରଥପୁର ବ୍ଲକର ମହାନ୍ତିପାଟଣା, ଡାହାଣହତା, କଟିକଟା, ବିରାଜପୁର ଏବଂ ଯାଜପୁର ବ୍ଳକର ବାସୁଦେବପୁର, ବେହେରାପାଟଣା ଓ ନାଥସାହି । ସେହିପରି ବରି ବ୍ଳକର ତଳକାଇପଡ଼ା, ଉଦୟନାଥପୁର, ବୈଇଁ ସିରିଆ ଅଂଚଳକୁ ମଧ୍ୟ ଅବରୋଧ ମୁକ୍ତ କରିଛି ପ୍ରଶାସନ ।

ରସୁଲପୁର ବ୍ଳକର ସଦାନନ୍ଦପୁର, ନାଥୁଆବରା ଅଂଚଳକୁ କଂଟେନମେଂଟ ମୁକ୍ତ କରାଯାଇଥିବା ବେଳେ ବିଂଝାରପୁର ବ୍ଳକର କଲ୍ୟାଣପୁରରୁ ହଟାଇ ଦିଆଯାଇଛି ଅବରୋଧ । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବା ପାଇଁ ଏହି ୧୩ଟି ଅଂଚଳକୁ ସଂପୂର୍ଣ୍ଣ ସଟ୍ଡାଉନ୍ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଏହା ପରେ ସେଠାରେ କରୋନା ନମୂନା ପରୀକ୍ଷା ଓ କଂଟାକ୍ଟ ଟେସିଂକୁ ବ୍ୟାପକ କରାଯାଇଥିଲା । ଏବେ ଏହି ଅଂଚଳରେ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେଉନଥିବାରୁ ତୁରନ୍ତ କଂଟେନ୍ମେଂଟ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ଫଳରେ ଏହି ସବୁସ୍ଥାନରେ କଂଟେନମେଂଟ କଟକଣା ହଟିଯାଇଛି ।