କନକ ବ୍ୟୁରୋ : ଅଳିଆ ଆବର୍ଜନା ଯୋଗାଉଛି ନିଯୁକ୍ତି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଡାଇଗୁଡା ଗାଁର ଶତାଧିକ ଲୋକ ଏହା ପ୍ରମାଣ କରି ଦେଖାଇଛନ୍ତି । ଗାଁର ଅଳିଆ ଆବର୍ଜନାରୁ ଖତ ତିଆରି କରି ମାସିକ ପାଖାପାଖି ୧୦ହଜାର ଟଙ୍କା ଆୟ କରୁଛନ୍ତି ଗାଁର ବେକାର ଯୁବକ ଯୁବତୀ । ମନରେଗା ଯୋଜନା ଅଧିନରେ ମାଥିଲି ବ୍ଲକ ଡାଇଗୁଡା ଗାଁର ଶତାଧିକ ଲୋକଙ୍କୁ ଆର୍ଥୀକ ସହାୟତା ପ୍ରଦାନ କରାଯିବା ଦ୍ୱାରା ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ଚଲାଉଛନ୍ତି ଏମାନେ ।

ଜିଆ ଯୋଗାଉଛି ଆହାର । ଗାଁର ଅଳିଆ ଆବର୍ଜନାରେ ତିଆରି ହେଉଛି ଖତ । ଗାଇ, ଗୋରୁ ଛେଳି ଓ କୁକୁଡାଙ୍କର ମଳ, ଧାନ ନଡା, ପାଳ, ଘାସ ଅଗାଡି ଇତ୍ୟାଦିରୁ ତିଆରି ହେଉଛି ଏହି ସାର । ଚାଷବାସ ପାଇଁ ରାସାୟନିକ ସାର ପରିବର୍ତେ ଏହି ସାର ବ୍ୟବହାର କରିବା ଦ୍ୱାରା ଜମି ଅଧିକ ଉର୍ବର ହୋଇଥାଏ । ଏଥିସହ ଘରୁ ବାହାରୁଥିବା ଅଳିଆରେ ତିଆରି ହେଉଥିବା ଯୋଗୁଁ ଏହି ଖତ ବେଶ୍ ଉପେଯାଗୀ ମଧ୍ୟ । ଏସବୁକୁ ଧ୍ୟାନରେ ରଖି ଖତ ତିଆରି କରୁଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଡାଇଗୁଡା ଗାଁର ଲୋକେ । ତେବେ ଜାଣନ୍ତୁ କେମିତି ତିଆରି ହୁଏ ଏହି ଜୈବିକ ଖତ ।
ଜିଆ ଖତ
– ଘରର ବର୍ଜ୍ୟବସ୍ତୁକୁ ବ୍ୟବହାର କରି ପ୍ରଥମେ ଏକ ପଲିବେଡ ତିଆରି କରାଯାଇଥାଏ
-ପରେ ଏହି ବେଡ ଭିତରେ ଜିଅନ୍ତା ଜିଆ ଛଡାଯାଇଥାଏ
-ପ୍ରାୟ ୩ ମାସ ଧରି ଏହାକୁ ସଂରକ୍ଷିତ କରି ରଖାଯାଏ
-ତିନି ମାସ ପରେ ଏହା ଏକ ଉନ୍ନତ ମାନର ଜୈବିକ ସାର ଭାବରେ ପ୍ରସ୍ତୁତ ହୋଇଥାଏ
-ଏହାପରେ ଚାଷୀ ନିଜ ଜମିରେ ଏହି ସାରକୁ ବ୍ୟବହାର କରିଥାନ୍ତି

ଏହି ଜିଆଖତ ପ୍ରକଳ୍ପ ପ୍ରାରମ୍ଭିକ ଭାବେ ମୃତିକା ସଂରକ୍ଷଣ ବିଭାଗର ଜଳଛାୟା ମିଶନ ପକ୍ଷରୁ ରେନଫେଡ ଏରିଆ ଡେଭଲପମେଂଟ ସ୍କିମରେ ଆରମ୍ଭ କରାଯାଇଥିଲା । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଡାଇଗୁଡା ଗ୍ରାମରେ ପ୍ରଥମେ ପରୀକ୍ଷାମୂଳକ ଭାବେ ୫ଟି ଜିଆଖତ ପ୍ରକଳ୍ପ ଆରମ୍ଭ କରାଯାଇ ଗ୍ରାମର ୬ଜଣ ବେକାର ଯୁବକ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପ୍ରଥମେ ୩୦ଟି ପଲିବେଡ୍ରେ ଜିଆ ଚାଷ କରି ୩ ମାସ ପରେ ପ୍ରତି ବେଡରୁ ୧୨ କ୍ୱିଂଟାଲ ଲେଖାଏଁ ଜିଆ ଖତ ସଂଗ୍ରହ କରାଯାଇଥିଲା ଯେଉଁଥିରୁ ଜଣେ ଜଣେ ପାଖାପାଖି ୧୦ ରୁ ୧୨ ହଜାର ଟଙ୍କା ରୋଜଗାର କରିଥିଲେ । ପରେ ପରେ ଗାଁର ଅନ୍ୟ ମାନେ ମଧ୍ୟ ଏଥି ଚାଷ ପ୍ରତି ମନବଳାଇଲେ ।

ଏବେ ଗାଁର ପାଖାପାଖି ୧୦୦ ଜଣ ଶିକ୍ଷିତ ବେକାରୀ ଯୁବକ ଯୁବତୀ ଏହି ଜିଆ ଖତ ଚାଷ କରି ନିଜ ପରିବାରର ପେଟ ପୋଶୁଛନ୍ତି । ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ୨୦୧୭-୧୮ ମସିହାରେ ଏମାନଙ୍କୁ ୩୨ ହଜାର ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଏଥିରୁ ଏମାନେ ସ୍ଥାୟୀ ବେଡ୍ ନିର୍ମାଣ କରି ନିୟମିତ ଜିଆଖତ ଉତ୍ପାଦନ ଜାରି ରଖିଛନ୍ତି ।