ବାଃ କମିଶନରେଟ ପୋଲିସ ବାଃ । ଗୋଡ ବାଜିବାରୁ ୨ ଯୁବତୀଙ୍କ ଉପରେ ହତ୍ୟା ଉଦମ୍ୟର ଦଫା ଲଗାଇଲା ପୋଲିସ । 

1,817

କନକ ବ୍ୟୁରୋ : ଗୋଇଠା ମାରିବାରୁ ଲାଗିଲା ଦଫା ୩୦୭ । ଏକଥାଟା ଶୁଣିବା ବେଳକୁ ହୁଏତ ଆପଣଙ୍କୁ ଅଡୁଆ ଲାଗୁଥାଇପାରେ କାରଣ ହତ୍ୟା ଉଦ୍ୟମ ବେଳେ ଲାଗେ ଦଫା ୩୦୭ । ଗଣତନ୍ତ୍ର ଦିବସ ଦିନ ପରେଡ ପୂର୍ବରୁ ଦୁଇ ଭଉଣୀ ପ୍ରତିବାଦ କରୁଥିଲେ । ଆଉ ସେମାନଙ୍କୁ ପୋଲିସ ଉଠାଇ ନେବାକୁ ଚେଷ୍ଟା କରିଥିଲା । ଏହି ସମୟରେ କୁଆଡେ ଦୁଇ ଯୁବତୀ ହତ୍ୟା ଉଦ୍ୟମ କରିଥିଲେ ବୋଲି ପୋଲିସ ସେମାନଙ୍କ ବିରୋଧରେ ଲଗାଇଛି ୩୦୭-ଦଫା । ଯାହାକୁ ନେଇ ଏବେ ବିବାବ ମୁଣ୍ଡ ଟେକିଛି ।

ଜାନୁଆରୀ ୨୬ ପରେଡ ପୂର୍ବରୁ ରାସ୍ତା ଉପରେ  ପ୍ରତିବାଦ କରୁଥିବା ଦୁଇ ଯୁବତୀଙ୍କୁ ଘେରି ରହିଥିଲା ପୋଲିସ । ସେମାନେ ତଳେ ଶୋଇ ରହିଥିବା ବେଳେ ପୋଲିସ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଜଣେ ଯୁବତୀ ଛାଟିପିଟି ହେବାରୁ ତାଙ୍କର ଗୋଡ ବାଜିଛି ଜଣେ ମହିଳା ପୋଲିସ ଅଧିକାରୀଙ୍କ ଗୋଡରେ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ  ଏହି ଦୁଇ ଯୁବତୀଙ୍କ ବିରୋଧରେ ଲାଗିଛି ହତ୍ୟା ଉଦ୍ୟମ-ଦଫା ୩୦୭ । ଏବେ ପ୍ରଶ୍ନ ଉଠୁଛି, ଏହି ଦୁଇ ଯୁବତୀଙ୍କ ଅପରାଧ କଣ ଏତେ ସଙ୍ଗୀନ ଥିଲା ଯେ ସେମାନଙ୍କ ବିରୋଧରେ ଦଫା ୩୦୭ ଲାଗିବା ଜରୁରି ହୋଇପଡିଲା ।

ଦଫା -୩୦୭ । ଏହି ଦଫା ସେତେବେଳେ ଲାଗେ ଯେତେବେଳେ କୌଣସି ବ୍ୟକ୍ତି ଅନ୍ୟ ଜଣଙ୍କୁ ହତ୍ୟା କରିବାକୁ ଉଦ୍ୟମ କରେ ଏବଂ ସେଥିରେ ବିଫଳ ହୁଏ । ସରଳ ଭାଷାରେ କହିବାକୁ ଗଲେ ଯଦି ଜଣଙ୍କ ଉପରେ ଆକ୍ରମଣ ହୋଇଛି ଏବଂ ଏହି ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇନାହିଁ ତେବେ ଦଫା-୩୦୭ ଅନୁସାରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି । ତେବେ ଦୁଇ ଯୁବତୀ କୌଣସି ପୋଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ କରିନାହାନ୍ତି । ତେଣୁ ଦଫା ୩୦୭ କେମିତି ଲାଗିଲା ଏବେ ତାକୁ ନେଇ ଆରମ୍ଭ ହୋଇଛି ବିତର୍କ ।

କେବଳ ଦଫା ୩୦୭ ନୁହେଁ, ଏହାକୁ ମିଶାଇ ଲାଗିଛି ୯ଟି ଦଫା । ଏଥିରେ ଓଡିଶା ସହରାଂଚଳ ପୁଲିସ ଆଇନର ଦଫା ୯୬ ମଧ୍ୟ ଲାଗିଛି । ପୋଲିସ ନିଜ ଆଡୁ ଏଫଆଇଆର ସମୟରେ କିପରି ଏହି ଦଫା ଲଗାଇଲା ତାକୁ ନେଇ ପ୍ରଶ୍ନ ଉଠିଛି । କୋରାପୁଟର ଏହି ୨ ଭଉଣୀ ତାଙ୍କ ବାପାଙ୍କ ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ଗାଁ ଲୋକେ ମାଡ ମାରିବା ସହ ଘରେ ରହିବାକୁ ଦେଇନଥିଲେ । ଆଉ ନ୍ୟାୟ ପାଇବା ପାଇଁ ପ୍ରାୟ ୫ବର୍ଷ ଧରି ଲୋୟର ପିଏମଜିରେ ଧାରଣା ଦେଇଆସୁଥିଲେ ଏହି ଦୁଇ ଯୁବତୀ ।