୨୦ ତାରିଖ ଦିନବେଳା ଲ୍ୟାଣ୍ଡଫଲ କରିବ ଅମ୍ଫାନ: ସାମୁଦ୍ରିକ ଝଡ ପ୍ରଭାବରେ ୧୮ରୁ ଆରମ୍ଭ ହେବ ବର୍ଷା; ୬୦ରୁ ୭୫ କିମି ରହିବ ସକାଳେ ପବନର ବେଗ

ସେପଟେ, ସମ୍ଭାବ୍ୟ ବାତ୍ୟା ନେଇ ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

1,537

କନକ ବ୍ୟୁରୋ: ଲଘୁଚାପ ଅବପାତ ରୂପ ନେଇ ସାରିଛି । ବାତ୍ୟା ପାରାଦୀପ ଠାରୁ ୧୦୬୦ କିଲୋମିଟର ଦୂରରେ ଅଛି । ସମୁଦ୍ର ପଥରେ ଘଂଟା ପ୍ରତି ୨୦ କିଲୋମିଟର ବେଗରେ ଗତି କରୁଛି । ୧୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟା ରିକର୍ଭ ହେବ । ୨୦ ତାରିଖ ଦିନ ବେଳା ବାତ୍ୟା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଉଛି । ବାତ୍ୟା ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଯିବ । ସମୁଦ୍ର ଭିତରେ ବାତ୍ୟା ଓଡିଶା ଉପକୂଳ ଦେଇ ଯିବା ବେଳେ ଉପକୂଳ ଓ ଉତର ଓଡିଶାରେ ପ୍ରଭାବ ରହିବ । ୧୮ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଗଂଜାମ ଉପକୂଳରୁ କେନ୍ଦ୍ରାପଡା ଯାଏଁ ବର୍ଷା ହେବ ।

୨୦ ତାରିଖ ଯାଏଁ ଉତର ଓଡିଶାରେ ବର୍ଷା ଲାଗି ରହିବ । ବର୍ଷା ସମୟରେ ପବନ ବି ବହିବ । ୧୯ ତାରିଖ ସକାଳେ ପବନର ବେଗ ୬୦ରୁ ୭୫ କିଲୋମିଟର ରହିବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସବୁପ୍ରକାର ପ୍ରସ୍ତୁତି କରିଥିବା କହିଛନ୍ତି ଏସଆରସି ପି.କେ ଜେନା । ବିଶେଷ ଉପକୂଳ ଓ ଉତର ଓଡିଶାର ଜିଲ୍ଲାକୁ ସତର୍କ କରାଯାଇଛି । କୋଭିଡ- କେୟାର ସେଂଟର ଛାଡି ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ କରିବା ପାଇଁ କୁହାଯାଇଥିବା ଏସଆରସି କହିଛନ୍ତି । ଆସନ୍ତା ୧୯ ଓ ୨୦ ତାରିଖ ଓଡିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ସଜାଗ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା ।

ସାମୁଦ୍ରିକ ଝଡ ଆମ୍ଫା ୨୦ ତାରିଖ ସକାଳରେ ପଶ୍ଚିମବଙ୍ଗ ଉପକୂଳରେ ପହଂଚିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବ ୧୯ ତାରିଖରୁ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପଡିବ । ପବନର ବେଗ ବଢିବ, ସମୁଦ୍ର ଅଶାନ୍ତ ରହିବା ସହ ୧୮ ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇ ଏହାର ପରିଣାମ ଧିରେ ଧିରେ ବଢିବ ବୋଲି କହିଛନ୍ତି ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର  ।

ଅମ୍ପାନକୁ ନେଇ ପୂର୍ବାନୁମାନ କରିଛି ପାଣିପାଗ ପୂର୍ବାନୁମାନ କେନ୍ଦ୍ର ୱିଣ୍ଡି ଡଟ୍ କମ୍ । ଚେକ୍ ରିପବ୍ଲିକର ଏହି ସଂସ୍ଥା ଅମ୍ପାନର ଗତି ସମ୍ପର୍କରେ ସବିଶେଷ ସୂଚନା ଦେଇଛି । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଓ ୟୁରୋପିୟନ ସେଂଟର ଫର ମିଡିୟମ ରେଂଜର ଆକଳନକୁ ନେଇ ଏହି ସଂସ୍ଥା ପୂର୍ବାନୁମାନ କରିଥାଏ । ଆଜି ଅର୍ଥାତ ୧୬ତାରିଖଠାରୁ ଆରମ୍ଭ କରି ୨୫ତାରିଖ ପର୍ଯ୍ୟନ୍ତ ଏହାର ଗତିପଥ କଣ ରହିବ ତାହାର ଇମେଜ ଜାରି କରିଛି ୱିଣ୍ଡି ଡଟ୍ କମ୍ । ଏହି ସମୟ ମଧ୍ୟରେ ପ୍ରତି ଘଂଟାରେ କିପରି ରହିବ ଅମ୍ପାନର ଗତିପଥ ତାକୁ ନେଇ ସବିଶେଷ ତଥ୍ୟ ଦିଆଯାଇଛି । ୱିଣ୍ଡି ଡଟ୍ କମ୍ ଦେଇଥିବା ଇମେଜ ଅନୁଯାୟୀ ଅମ୍ପାନ ଓଡ଼ିଶା ଦେଇ ଅତିକ୍ରମ କରିବାର ଆଶଙ୍କା ରହିଛି ।