ସ୍ୱାଭିମାନ ଦିବସରେ ସମ୍ମାନିତ ହେବେ ଗଂଜାମ ଝିଅ ! ବାପାଙ୍କ ସହ ଚାଷ କରି ଚର୍ଚ୍ଚିତ ଶିବାନୀ ଜାନିଙ୍କୁ ମିଳିବ ସମ୍ମାନ

46

କନକ ବ୍ୟୁରୋ: ସ୍ୱାଭିମାନ ଦିବସରେ ସମ୍ମାନିତ ହେବେ ଗଂଜାମ ଝିଅ । ବାପାଙ୍କ ସହ ଚାଷ କରି ଚର୍ଚ୍ଚିତ ଯୁକ୍ତ ଦୁଇର ପାଠପଢୁଥିବା ଶିବାନୀ ଜାନିଙ୍କୁ ମିଳିବ ସମ୍ମାନ । ତେବେ ପାଠ ପଢିବା ସହ ବାପାଙ୍କ ସହ ଜମିରେ ଚାଷ କରନ୍ତି ଶିବାନୀ । ତାଙ୍କର ଏହି କାର୍ଯ୍ୟକୁ କନକ ନ୍ୟୁଜରେ ପ୍ରସାରଣ କରାଯାଇଥିଲା । ଯାହାକୁ ନେଇ ସେ ବେଶ୍ ପ୍ରଶଂସା ସାଉଁଟିଛନ୍ତି ।

ତାଙ୍କର ଏହି ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଜନ୍ମଦିନ ତଥା ସ୍ୱାଭିମାନ ଦିବସରେ ସମ୍ବର୍ଦ୍ଧିତ କରାଯିବ । ଏହାସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ଜଣ ସ୍ୱେଚ୍ଛାସେବୀଙ୍କୁ ମଧ୍ୟ ସମ୍ମାନିତ କରାଯିବ ।

ଏଠାରେ ଆମେ କହି ରଖୁଛୁ କି, ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ସୁରିଙ୍ଗି ଗାଁର ଅଲେଖ ଜାନିଙ୍କ ଝିଅ ଶିବାନୀ (୧୫ ବର୍ଷ) ବିଲରେ କାମ କରିବା ସହ ଯୁକ୍ତ ଦୁଇରେ ପାଠ ପଢନ୍ତି । ଅଭାବ ଅନଟନ ଭିତରେ ବାପା ଅଲେଖ ଜାନି ପୁଅଟିଏ ଆଶା କରି ତାଙ୍କର ୩ଟି ଝିଅ ଜନ୍ମ ହୋଇଥିଲା । ମାତ୍ର ଶିବାନୀଙ୍କ ଏଭଳି କାମ ଅଲେଖଙ୍କୁ ଅନୁଭବ କରିବାକୁ ବାଧ୍ୟ କରିଥିଲା କି ଝିଅ ବି କୌଣସି ପୁଅଠାରୁ କମ୍ ନୁହେଁ ବୋଲି । କିନ୍ତୁ ଏବେ ଅନୁଭବ କରୁଛନ୍ତି ତାଙ୍କ ଝିଅ କୈାଣସି ପୁଅ ଠାରୁ କମ୍ ନୁହେଁ ।

ସକାଳେ ହଳ କରିବା ଏବଂ ବିଲ କାମ ସାରି ଜଣେ ଛାତ୍ରୀ ଭାବେ ନିଜର କର୍ତ୍ତବ୍ୟ ସଂପାଦନ କରିବା , ବୋଧହୁଏ ଆଜିର ଦିନରେ ଏକ ବିରଳ ଘଟଣା । ବିଲରେ କାମ କରିବାକୁ ଆଜିର ପିଲା ହୁଏତ ଲଜ୍ଜା ବୋଲି ଭାବନ୍ତି କିମ୍ବା ଏହି ପରିଶ୍ରମ କରିବାକୁ ରାଜି ହୁଅନ୍ତି ନାହିଁ , କିନ୍ତୁ ଶିବାନୀ ଏ କ୍ଷେତ୍ରରେ ଏକ ବ୍ୟତିକ୍ରମ ।