ବନ୍ଦ ଲଫାପାର ଡୁପ୍ଲିକେଟ ଚାବିକୁ ନେଇ ସବୁଆଡ଼ୁ ସମାଲୋଚନା : ଜଗନ୍ନାଥଙ୍କ ଶରଣରେ ଜିଲ୍ଲାପାଳ

37

କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ମିଳିବା ପରେ କୋଟି କୋଟି ଭକ୍ତ ଆଶ୍ୱସ୍ତ ହୋଇଥାଇ ପାରନ୍ତି , ହେଲେ ଏହି ପ୍ରସଙ୍ଗକୁ ନେଇ ବଢିଛି ରାଜନୀତିର ତାତି । ବିରୋଧୀଙ୍କ ଟାର୍ଗେଟରେ ଏବେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ।ପୁରୀ ଜିଲ୍ଲାପାଳଙ୍କ ରତ୍ନଭଣ୍ଡାରର ଭିତର ଭଣ୍ଡାର ଡୁପ୍ଲିକେଟ ଚାବି ମିଳିବା ନେଇ ଘୋଷଣା ପରେ ଏବେ ଜୋର ଧରିଛି ରାଜନୀତି । ପୂର୍ବରୁ ଚାବି ମିଳୁ ନଥିବା କହୁଥିବା ଜିଲ୍ଲାପାଳ କେମିତି ଆଜି ଚାବି ପାଇଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ପୂର୍ବତନ ଆଇନମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ଡୁପ୍ଲିକେଟ ଚାବି କଥା ସେ ଆଇନମନ୍ତ୍ରୀ ଥିବା ବେଳେ ମଧ୍ୟ ଶୁଣିନାହାନ୍ତି । ଏପରିକି ଡପ୍ଲିକେଟ ଚାବି କଥା ଶ୍ରୀମନ୍ଦିର ଆଇନରେ କାହିଁ କେଉଁଠି ଉଲ୍ଲେଖ ଥିବା କଥା ମଧ୍ୟ ସେ ଜାଣିନାହାନ୍ତି । ସବୁଠୁ ବଡ଼ କଥା ହେଲା, ଟ୍ରେଜେରୀ ରୁମରେ ଯେଉଁ ଚାବି ରହିବା କଥା ତାହା ରେକର୍ଡ଼ ରୁମକୁ କିଭଳି ଆସିଲା । ତାହା ପୁଣି ଅସଲି ନୁହେଁ ନକଲି । ଏଭଳି କହି ଜିଲ୍ଳାପାଳଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।

ସେହିଭଳି କଂଗ୍ରେସ ମଧ୍ୟ ଜିଲ୍ଲାପାଳଙ୍କୁ ରତ୍ନଭଣ୍ଡାର ଚାବି ବିବାଦ ଭିତରକୁ ଟାଣିଛନ୍ତି । ସରକାର, ମନ୍ଦିର ପ୍ରଶାସନ କିଭଳି ଦାୟିତ୍ୱହୀନ ଭଳି କାମ କରୁଛନ୍ତି ତାହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିଭଳି ଜଗନ୍ନାଥ ସେନା ପକ୍ଷରୁ କୁହାଯାଇଛି, ରତ୍ନଭଣ୍ଡାରର ଡ଼ୁପ୍ଲିକେଟ ଚାବି ତିଆରି ହୋଇପାରିବ ନାହିଁ ବୋଲି ଆଇନ ରହିଛି । କିନ୍ତୁ ଏଭଳି ସ୍ଥଳେ ଡ଼ୁପ୍ଲିକେଟ ଚାବି କେଉଁଠୁ ଆସିଲା । ରତ୍ନଭଣ୍ଡାରରେ ୩ଟି ତାଲା ପଡ଼ିଛି । ତେଣୁ ୩ଟି ଚାବିକୁ ଏକାଠି କଲେ ହିଁ ରତ୍ନଭଣ୍ଡାର ଖୋଲିବ । ଯଦି ଡ଼ୁପ୍ଲିକେଟ ଚାବି ତିଆରି ହୋଇଛି ତେବେ କେଉଁ ସରକାର ଏଭଳି ନିର୍ଦ୍ଦେଶ ଦେଇଥିଲେ ତାହା ସ୍ପଷ୍ଟ କରାଯାଉ ।

ratnaରତ୍ନଭଣ୍ଡାର ଭଳି ଅତି ଗୁରୁତ୍ୱପୂର୍ଣ୍ଣ ଓ ଭକ୍ତଙ୍କ ଭାବାବେଗ ସହ ଜଡିତ ଏହି ପ୍ରସଙ୍ଗ ହଠାତ୍ ବିବାଦ ଘେରକୁ ଆସିଗଲା, ଯେତେବେଳେ ଚାବି ଟ୍ରେଜେରୀରେ ନାହିଁ ବୋଲି ପ୍ରଶାସନ କହିଲା ଏବଂ ପରେ ପରେ ରେକର୍ଡ ରୁମରେ ଚାବି ମିଳିଲା ବୋଲି ଘୋଷଣା କରାଗଲା । ଏହାକୁ ନେଇ ଏବେ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ମହାପାତ୍ର । ମିଳିଥିବା ଚାବି ରତ୍ନଭଣ୍ଡାରର ହୋଇଥିବ ତେବେ ଏହା ନିଶ୍ଚିତ ଭାବେ ଏକ ଆଶ୍ୱସ୍ତି କର କଥା । କିନ୍ତୁ ଜିଲ୍ଲାପାଳଙ୍କ ଠାରୁ ଏଭଳି ଦାୟିତ୍ୱହୀନ ବିବୃତି ଆଦୌ ଗ୍ରହଣୀୟ ନୁହେଁ । ଏପରିକି ଜିଲ୍ଲାପାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି କହିଛନ୍ତି ବିଜୟ ମହାପାତ୍ର । ତେବେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ତଦନ୍ତ କମିଶନ ରିପୋର୍ଟ ଆସିବା ପରେ ଏହା କେଉଁ ଚାବି ତାହା ସ୍ପଷ୍ଟ ହୋଇଯିବ । ବନ୍ଦ ଥିବା ଲଫାପା ଭିତରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ଅଛି କି ନାହିଁ ତାହା ଏବେ ଦେଖିବା ବାକି ରହିଲା ।

ଏସବୁ ଭିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ବିବାଦରେ ଗଠିତ ନ୍ୟାୟିକ ତଦନ୍ତ କମିଶନର ଟର୍ମସ ଅଫ ରେଫରେନ୍ସ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । କେଉଁ ପରିସ୍ଥିତିରେ ଚାବି ହଜିଲା ସେ ନେଇ ତଦନ୍ତ କରିବ କମିଶନ । ଚାବି ହଜିବା ଘଟଣାରେ ବ୍ୟକ୍ତିବିଶେଷ, ଗୋଷ୍ଠୀ କିମ୍ବା ଅନୁଷ୍ଠାନର କୌଣସି ଭୂମିକା ଅଛି ନା ନାହିଁ ସେନେଇ ବି ତଦନ୍ତ ହେବ । ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତି ନ ହୁଏ ସେ ଦିଗ ପ୍ରତି ବି ଧ୍ୟାନ ଦେବେ କମିଶନ । ୩ ମାସ ମଧ୍ୟରେ ଏହି କମିଟି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ । ପୂର୍ବରୁ କମିଶନ ଗଠନ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ଘଟଣାର ତଦନ୍ତ କରିବେ । ବିଜ୍ଞପ୍ତିରେ କୁହାଯାଇଛି ଯେ, କମିଶନ ଅଫ ଇନକ୍ୱାରୀ ଆକ୍ଟ ୧୯୫୨ ଅନୁସାରେ ଘଟଣାର ତଦନ୍ତ ହେବା ଦରକାର । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମନ୍ଦିର ସୁପରିଚାଳନା ନେଇ କମିଟି ଗଠନ କରିଛି ଆଇନବିଭାଗ । ଏହି କମିଟି ରାଜ୍ୟ ବାହାରକୁ ଯାଇ ବିଭିନ୍ନ ମନ୍ଦିରର ପରିଚାଳନାର ଅନୁଧ୍ୟାନ କରିବେ । ସୁରେଶ ମହାପାତ୍ରଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ବରିଷ୍ଠ ଆଇପିଏସ୍ ଅଧିକାରୀ ସୋ÷ମେନ୍ଦ୍ର ପ୍ରୀୟଦର୍ଶିଙ୍କୁ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି । ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହିମୋହନ ତ୍ରିପାଠୀ କମିଟିର ସଦସ୍ୟ ରହିଛନ୍ତି । ଶ୍ରୀମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ହେବା ପ୍ରସଙ୍ଗରେ ଏକ ଆବେଦନର ଶୁଣାଣି କରି ତିରୁପତି ଓ ବୈଷ୍ଣୋଦେବୀ ମନ୍ଦିରର ପରିଚାଳନାକୁ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ ।