ବ୍ୟାଙ୍କ ଅଫ ବରୋଦା ମ୍ୟାନେଜରଙ୍କ ଦାଦାଗିରି ! ରିଜର୍ଭ ବ୍ୟାଙ୍କ ନିୟମକୁ ବେଖାତିର କରି ନେଉନାହାନ୍ତି କଏନ୍ ।

ଖୁଚୁରା ପଇଶା ଦିଆ ନିଆକୁ ନେଇ ବ୍ୟାଙ୍କରେ ଦେଖିବାକୁ ମିଳିଛି ମ୍ୟାନେଜରଙ୍କ ଦାଦାଗିରି ।

165

କନକ ବ୍ୟୁରୋ: ଖୁଚୁରା ପଇଶା ଦିଆ ନିଆକୁ ନେଇ ବ୍ୟାଙ୍କରେ ଦେଖିବାକୁ ମିଳିଛି ମ୍ୟାନେଜରଙ୍କ ଦାଦାଗିରି । ଜିଲ୍ଲାରେ ଅନ୍ୟ କୌଣସି ବ୍ୟାଙ୍କ ନଥିବାରୁ ଗ୍ରାହକଙ୍କ ସହିତ ବ୍ୟାଙ୍କ କର୍ମଚାରୀ ର୍ଦୁବ୍ୟବହାର କରୁଥିବାର ଅଭିଯୋଗ ହୋଇଛି । ଅନ୍ୟାନ୍ୟ ବ୍ୟାଙ୍କରେ ଖୁଚୁରା ପଇସା ନେଉଥିବା ବେଳେ ରିଜର୍ଭ ବ୍ୟାଙ୍କର ନିୟମକୁ ବେଖାତିର କରି ନବରଙ୍ଗପୁର ଜିଲ୍ଲାରେ ଅବସ୍ଥିତ ବ୍ୟାଙ୍କ ଅଫ ବରୋଦା କଏନ୍ ନେବାକୁ ରୋକଠୋକ ମନା କରିଦେଉଛି ।

ସୂଚନା ମୁତାବକ, ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମ ଅନୁସାରେ ଦେଶରେ ତିଆରି ହେଉଥିବା ସମସ୍ତ ନୋଟ ଓ କଏନ୍ ସବି ବ୍ୟାଙ୍କରେ ଗ୍ରାହକ ଦିଆନିଆ କରିପାରିବେ । କିନ୍ତୁ ଏହି ନିୟମର ବ୍ୟତିକ୍ରମ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିର ବ୍ୟାଙ୍କ ଅଫ୍ ବରୋଦାରେ । ଚନ୍ଦାହାଣ୍ଡିରେ ଅନ୍ୟ କୌଣସି ବ୍ୟାଙ୍କ ନଥିବାରୁ ଏହି ବ୍ୟାଙ୍କର ଦାଦାଗିରି ବଢିବାରେ ଲାଗିଛି । ଗ୍ରାହକଙ୍କ ଠାରୁ କୌଣସି କଏନ୍ ନେଉନାହାନ୍ତି ବ୍ୟାଙ୍କ କର୍ମଚାରୀ । ଗ୍ରାହକ ଏହାର କାରଣ ପଚାରିଲେ ଗ୍ରାହକଙ୍କୁ ଦୁଃବ୍ୟବହାର କରୁଛନ୍ତି । ଆଉ ମ୍ୟାନେଜର କହୁଛନ୍ତି, ଆମେ କଏନ୍ ନେବୁନାହିଁ ତୁମେ ମାର୍କେଟରେ ଚଳାଅ । ଯଦି ପାରୁଛ ଆମ ନାଁରେ ଅଭିଯୋଗ କର । ଗଣ ମାଧ୍ୟମରେ କହିଲେ ବି ଆମର କିଛି ହେବ ନାହିଁ ଏଭଳି ଅନେକ କଥା କହି ଲୋକଙ୍କୁ ର୍ଦୁବ୍ୟବହାର କରୁଛନ୍ତି ।

ତେବେ ଗତ କିଛିଦିନ ତଳେ ଚନ୍ଦାହାଣ୍ଡର ଜଣେ ବ୍ୟବସାୟୀ ନୟନ କୁମାର ଜୈନ ବ୍ୟାଙ୍କ ଅଫ ବରୋଦାକୁ ପ୍ରାୟ ୭ହଜାର ଟଙ୍କା କଏନ ନେଇ ଡିପୋଜିଟ କରିବାକୁ ଯାଇଥିଲେ । ସେଠାରେ ବ୍ୟାଙ୍କ କର୍ମଚାରୀ କଏନ ରଖିବା ପାଇଁ ରୋକଠୋକ ମନା କରିଦେଇଥିଲେ । ସେଠାରୁ ଫେରି ନୟନ ଶାଖା ପରିଚାଳକ ରବି କୁମାରଙ୍କୁ ସାକ୍ଷାତ କରିଥିଲେ । ସେ ମଧ୍ୟ କଏନ ରଖିବାକୁ ରୋକଠୋକ ମନା କରିଦେବା ସହିତ ନୟନଙ୍କ ସହ ର୍ଦୁବ୍ୟବହାର କରିଥିଲେ । ଏହି ଘଟଣାକୁ ନୟନ ଅତି ଚାଲାକର ସହ ମୋବାଇଲରେ ଭିଡିଓ ରେକର୍ଡ କରିଦେଇଥିଲେ । ଯାହା ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ତେବେ ଦେଶରେ ବିମୁଦ୍ରାକରଣ ପରେ ଏପରି ଅବସ୍ଥା ଦେଖାଦେଇଛି ଏବଂ କର୍ମଚାରୀଙ୍କ ବାରମ୍ବାର ଏପରି ର୍ଦୁବ୍ୟାବହାର ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବୁଦ୍ଧିଯିବୀ ମହଲରେ ତିବ୍ର ଅସନ୍ତୋଷ ଦେଖା ଦେଇଛି ।