ଓଡ଼ିଶାକୁ ମିଳୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା । ନୀତି ଆୟୋଗ ବୈଠକରେ ନବୀନ ରଖିଲେ ଦାବି ।

217

କନକ ବ୍ୟୁରୋ: ନୀତି ଆୟୋଗ ବୈଠକରେ ପୁଣି ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନବୀନ କହିଥିଲେ, ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଥିବା ମାପଦଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟକୁ ସାମିଲ କରାଯାଉ । ଏବଂ ଯେଉଁ ସବୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟରେ ବଡ ଧରଣରେ ପ୍ରଭାବିତ ହେଉଛନ୍ତି ସେମାନଙ୍କୁ ନର୍ଦ୍ଦିଷ୍ଟ କିଛି ସମୟ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉ ।

ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଅବସରରେ ମଧ୍ୟ ନବୀନ ଏହି ଦାବି ଉପସ୍ଥାପନ କରିଥିଲେ । ସେହିଭଳି ନୀତି ଆୟୋଗ ସାମ୍ନାରେ କିଛି ପ୍ରସ୍ତାବ ମଧ୍ୟ ରଖିଛନ୍ତି ନବୀନ । କହିଛନ୍ତି, ସମସ୍ତ କ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରିବାକୁ ଗୁରତ୍ୱ ଦିଆଯାଉ । ବିଭନ୍ନ ସମୟରେ ନିର୍ବାଚନ ହେଉଥିବାରୁ ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ତେଣୁ ଦେଶରେ ଏକକାଳୀନ ନିର୍ବାଚନ କରାଯାଉ ।

ସେହିଭଳି ଦ୍ୱତୀୟ ସବୁଜ ବିପ୍ଳବ ପାଇଁ ମଧ୍ୟ ନବୀନ ଯୁକ୍ତି ରଖିବା ସହ କହିଛନ୍ତି, କୃଷି କ୍ଷେତ୍ର ଉପରେ ଧ୍ୟାନ ଦିଅଯାଇ ଜଳସଂପଦକୁ ସଠିକ ଦିଗରେ ବିନିଯୋଗ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ କରିବାକୁ ମଧ୍ୟ ନବୀନ ନୀତି ଆୟୋଗ ବୈଠକରେ ପରାମର୍ଶ ଦେଇଥିଲେ । କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ରେଳ ଯୋଗାଯୋଗ ଆରମ୍ଭ କରିବା ପାଇଁ ଦାବି ଦୋହରାଇବା ସହ କୋଇଲା ରୟାଲଟିକୁ ୧୪ ରୁ ୨୦ ପ୍ରତିଶତ କରିବାକୁ ମଧ୍ୟ ନବୀନ ଦାବି କରିଥିଲେ ।