ଗୋଟିଏ ମଂଚରେ ବିଜେଡିର ୩ ବିରୋଧୀ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏକାଠି ହେଲେ ଦାମ,ବିଷ୍ଣୁ, ଓ ରାଜଶ୍ରୀ

29

ଜଗତସିଂପୁର : ଗୋଟିଏ ମଂଚରେ ଜଗତସିଂପୁର ଜିଲ୍ଲା ରାଜନୀତିରେ ପରସ୍ପର ବିରୋଧୀ ତିନି ବିଜେଡି ନେତା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦାମୋଦର ରାଉତ, ବିଷ୍ଣୁ ଦାସ ଓ ରାଜଶ୍ରୀ ମଲ୍ଲିକଙ୍କୁ ଏକାଠି ଦେଖିବାକୁ ମିଳିଛି । ବିଜେଡିର ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅନେକ ସମୟରେ ସିଧାସଳଖ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କୁ ଖୋଲାଖୋଲି ବିରୋଧ କରିଆସିଛନ୍ତି । ଏପରିକି ମହାନଦୀ ପ୍ରସଙ୍ଗରେ ବିଜେଡିର ଶୋଭାଯାତ୍ରାବେଳେ ଦୁଇ ନେତାଙ୍କୁ ଏକାଠି ଦେଖିବାକୁ ମିଳନଥିଲା । ବିଜୁ ବିଚାର ମଂଚ ବ୍ୟାନରରେ ମହାନଦୀ ବଂଚାଅ ଆନ୍ଦୋଳନ କରିଥିଲେ ଦଳର ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।

ସେହିପରି ବିଷ୍ଣୁ ଦାସଙ୍କ ବିରୋଧୀ, ବିଧାୟିକା ରାଜଶ୍ରୀ ମଲ୍ଲିକ । ସେ ମଧ୍ୟ ଅନେକ ସମୟରେ ଜିଲ୍ଲା ସଭାପତିଙ୍କ ବିରୋଧରେ ବୟାନ ଦେଇଆସିଛନ୍ତି । ତେବେ ଜିଲ୍ଲାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଏହି ତିନି ନେତାଙ୍କୁ ଏକାଠି ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଲାଗି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଆୟୋଜିତ ସଭା ମଂଚରେ ଏକାଠି ହୋଇଛନ୍ତି ଦାମ, ବିଷ୍ଣୁ ଓ ରାଜଶ୍ରୀ ।

ବିଷ୍ଣୁ ଦାସଙ୍କୁ ଜିଲ୍ଲା ବିଜେଡି ସଭାପତି ଭାବେ ଗ୍ରହଣ କରୁନଥିବା କଥା ଦାମ, ଅନେକ ଥର ଖୋଲିଖୋଲି କହିଛନ୍ତି । ସେହିପରି ସାଂସଦ ଭାବେ ବିଷ୍ଣୁ ରାଜ୍ୟସଭା ଯିବାବେଳେ ତାଙ୍କର ଯୋଗ୍ୟତା ନେଇ ପ୍ରଶ୍ନ ଉଠାଇଥିଲେ ଦାମ । ଏବଂ ଦାମଙ୍କ ବିରୋଧରେ ସମାଲୋଚନାର ସୁଯୋଗକୁ କେବେ ବି ହାତଛଡା କରୁନାହାନ୍ତି ବିଷ୍ଣୁ ।

ଏପଟେ ପ୍ରଥମଥର ବିଧାୟିକା ହୋଇଥିଲେ ବି ରାଜଶ୍ରୀ ମଲ୍ଲିକଙ୍କ କାଟତି ଜଗତସିଂହପୁର ଜିଲ୍ଲାରେ ବଢିବାରେ ଲାଗିଛି । ଜଣକୁ ଦେଖିଲେ ଆଉଜଣଙ୍କ ନାହି ଡେଉଁଥିବା ଏହି ତିନି ନେତା ନବୀନଙ୍କ ନାଲି ଆଖିକୁ ଡରି କିଛି ସମୟ ପାଇଁ ମଂଚରେ ଏକାଠି ହୋଇଛନ୍ତି ନା ଏମାନଙ୍କ ବିବାଦର ସମାଧାନ କରିବାରେ ନବୀନ ସଫଳ ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।