ଛତିଶଗଡ଼ ନିର୍ବାଚନକୁ ନେଇ ଜୋର ଧରିଲା ରାଜନୀତି ! ଯୋଗୀ ଆଦିତ୍ୟନାଥଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ ରମଣ ସିଂହ, ସୋସିଆଲ ମିଡିଆରେ ଚର୍ଚ୍ଚା ।

49

ଛତିଶଗଡର ରାଜନନ୍ଦଗାଓଁ ବିଧାନସଭା ଆସନ ନିର୍ବାଚନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି । ନାମାଙ୍କନ ଦାଖଲ କରିବା ପୂର୍ବରୁ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ତାଙ୍କ ପୁଅ ଅଭିଷେକ ସିଂହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି । ନାମାଙ୍କନ ଭରିବା ପରେ ରମଣ କହିଛନ୍ତି, ରାଜନନ୍ଦଗାଓଁ ଏବଂ ସମଗ୍ର ଛତିଶଗଡବାସୀଙ୍କ ଭଲପାଇବା ବିଜେପି ସରକାରଙ୍କୁ ମିଳିଆସିଛି ଏବଂ ଆଗକୁ ମଧ୍ୟ ମିଳିବ । ଏବଂ ଛତିଶଗଡରେ ବିଜେପି ସରକାର ମିଶନ ୬୫ ଟାର୍ଗେଟ ପୁରା କରିବାରେ ସମର୍ଥ ହେବ । ଏହି ନିର୍ବାଚନ ସମଗ୍ର ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ ବୋଲି ରମଣ କହିଛନ୍ତି ।

ତେବେ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତି ନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ରମଣ କରିଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ଆଶୀର୍ବାଦ ସବୁ ପ୍ରାର୍ଥୀଙ୍କୁ ମିଳିବ ଏବଂ ଛତିଶଗଡରେ ପୁଣି ଥରେ ବିଜେପି ସରକାର ଗଢିବ । ସେହିପରି ରାଜନନ୍ଦଗାଓଁରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା କରୁଣା ଶୁକ୍ଳାଙ୍କ ବାବଦରେ ରମଣ ସିଂହ କହିଛନ୍ତି, ଯଦି କରୁଣା ଶୁକ୍ଳା ତାଙ୍କ ବିରୋଧରେ ନିର୍ବାଚନ ଲଢନ୍ତି, ତେବେ ତାଙ୍କୁ କୌଣସି ସମସ୍ୟା ନାହିଁ । ସୂଚନା ଅନୁଯାୟୀ, ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଭରିବାର ଆଜି ଅନ୍ତିମ ତାରିଖ ଅଟେ । ନଭେମ୍ବର ୧୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଡିସେମ୍ବର ୧୧ ତାରିଖରେ ଭୋଟ ଗଣନା ହେବ ।