ଜନ୍ମଦିନରେ ନବୀନଙ୍କ ବଡ ଭେଟି: ଫୁଲବାଣୀରେ ହେବ ମେଡିକାଲ କଲେଜ । ଅନ୍ୟ ୫ ଜିଲ୍ଲାର ସ୍ୱାସ୍ଥ୍ୟସେବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

450

କନକ ବ୍ୟୁରୋ: ଜନ୍ମଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୁଣି ବଡ ଘୋଷଣା କଲେ ନବୀନ । ଫୁଲବାଣୀ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୁଲବାଣୀରେ ହେବ ମେଡିକାଲ କଲେଜ । ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ତେବେ ଫୁଲବାଣୀ ସହ ଅନ୍ୟ ୫ ଜିଲ୍ଲା ମେଡିକାଲ ପାଇଁ ମଧ୍ୟ ଘୋଷଣା ହୋଇଛି । ବୌଦ୍ଧ, ନୟାଗଡ, କଳାହାଣ୍ଡି, ରାୟଗଡା ଏବଂ ନୂଆପଡା ଜିଲ୍ଲା ମେଡିକାଲର ବିକାଶ ପାଇଁ ବଡ ଘୋଷଣା କରିଛନ୍ତି ନବୀନ ।

ବୌଦ୍ଧ ହସ୍ପିଟାଲରେ ଆଉ ୨୦୦ ସିଟ ବଢିବ । ଏଥିସହ ଗୋଟିଏ ଆମ୍ବୁଲାନ୍ସ ଏବଂ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବ । ସେହିପରି ନୟାଗଡ ହସ୍ପିଟାଲର ବେଡ ସଂଖ୍ୟା ୨୫୦କୁ ବୃଦ୍ଧି ହେବା ସହ ଆଉ ଏକ ୧୦୦ ଶଯ୍ୟା ବିଶିଷ୍ଟ ବିଲ୍ଡିଂ ତିଆରି ହେବ । ଗୋଟିଏ ଆମ୍ବୁଲାନ୍ସ ସହ ଗୋଟିଏ ମହାପ୍ରୟାଣ ଗାଡି ମଧ୍ୟ ରହିବ ।

କଳାହାଣ୍ଡିରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ନୂଆ ବିଲ୍ଡିଂ ହେବ ଏହା ସହ ହସ୍ପିଟାଲକୁ ୩ଟି ଆମ୍ବିଲାନ୍ସ ଓ ୨ଟି ମହାପ୍ରୟାଣ ଗାଡି ଦିଆଯିବ । ରାୟଗଡା ହସ୍ପିଟାଲକୁ ୪ଟି ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ । ନୂଆପଡା ହସ୍ପିଟାଲକୁ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ଘୋଷଣା କରିଛନ୍ତି ।

ସେପଟେ ‘ମୋ ସରକାର’ କାର୍ଯ୍ୟକ୍ରମର ୨ୟ ଦଫା ଗସ୍ତର ସମୀକ୍ଷା ପରେ ଏଭଳି ଘୋଷଣା କରିଛନ୍ତି ନବୀନ । ଲୋକଙ୍କ ସହ କଥା ହୋଇ ଆଉ ଲୋକଙ୍କ ମତାମତ ନେଇ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଆହୁରି ଶକ୍ତଶାଳୀ କରାଯିବ । ତାସହ ଡିସେମ୍ବର ପହିଲାରୁ ‘ମୋ ସରକାର’ ୫ଟି ବିଭାଗକୁ ସଂପ୍ରସାରଣ ହେବ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ଏହା ସବୁ ବିଭାଗକୁ ସଂପ୍ରସାରିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।