ଦାମଙ୍କ ବହିଷ୍କାର ପ୍ରସଙ୍ଗରେ ବିଜେଡି ସୁପ୍ରିମୋଙ୍କ ପ୍ରତିକ୍ରିୟା । ଦିଲ୍ଲୀରୁ ଫେରି ନବୀନ ପଟ୍ଟନାୟକ କହିଲେ, ଦାମଙ୍କ ଅଭିଯୋଗ ହାସ୍ୟାସ୍ପଦ, ସବୁବେଳେ ଦିଅନ୍ତି ଦାୟିତ୍ୱହୀନ ମନ୍ତବ୍ୟ

29

କନକ ବ୍ୟୁରୋ : ଦିଲ୍ଲୀରୁ ଫେରିବା ପରେ ଦାମଙ୍କ ବହିଷ୍କାର ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ମୁଖ୍ୟମ଼ନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଦାମଙ୍କ ଅଭିଯୋଗ ହାସ୍ୟାସ୍ପଦ । ଦାମ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦେଇଆସୁଛନ୍ତି ବୋଲି କହିଛନ୍ତି । ବିଜେଡିରୁ ବିଦା ହୋଇଥିବା ବିଜୁ ଅନୁଗାମୀ ମାନେ ନୂଆ ଦଳ ଗଠନ କରିପାରନ୍ତି ଓ ଏହାର ବିଜେଡି ଉପରେ କଣ ପ୍ରଭାବ ପଡିବ ବୋଲି ଏକ ପ୍ରଶ୍ନର ଉତରରେ ନବୀନ କହିଛନ୍ତି, ଏହା ତାଙ୍କର ନିଜସ୍ୱ ବ୍ୟାପାର ଏବଂ ଏହାର ବିଜେଡି ଉପରେ କୌଣସି ପ୍ରଭାବ ପଡିବନି । ତେବେ ଦଳ ବିରେଧୀ କାମ ପାଇଁ ଗତକାଲି ବରିଷ୍ଠ ବିଧାୟକ ଦାମ ରାଉତ ଦଳରୁ ବିଦା ହୋଇଥିଲେ । ତେବେ ଦାମ ବିଦା ହେବାପରେ ତାଙ୍କୁ ଅନେକ ନେତା ସରକାରୀ ବାସଭବନରେ ଭେଟିଥିଲେ  । ସେପଟେ ଦାମଙ୍କ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି , ଦାମବାବୁଙ୍କୁ ବହିଷ୍କାର କରିବା ଛଡା ଦଳର ସଭାପତିଙ୍କ ପାଖରେ ଆଉ କିଛି ବିକଳ୍ପ ଥିଲା କି । ଗୋଟିଏ ରାଜନୈତିକ ଦଳ କିଭଳି ଚାଲେ ଓ ଦଳର ନେତୃତ୍ୱ ନେବା ପାଇଁ ସର୍ବନିମ୍ନ ଯେଉଁ ଆବଶ୍ୟକତା ଥାଏ ତାହା ହେଉଛି ଶୃଙ୍ଖଳା । ଆଉ ଏହା ଆଚରଣ ଓ ଉଚ୍ଚାରଣରେ ପରିପ୍ରକାଶ ହେବା ଦରକାର । ଏହାସହ ଦାମ କଂଗ୍ରେସରେ ମିଶିବେ କି ବୋଲି ଏକ ପ୍ରଶ୍ନର ଉତରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ବିକାଶ ଚାହୁଁଥିବା ବ୍ୟକ୍ତିଙ୍କୁ କଂଗ୍ରେସର ସ୍ୱାଗତ କରାଯିବ ।

 

 ବିଜେଡିରୁ ବହିଷ୍କାର ପରେ ଦାମ ରାଉତଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦାମ ଓ ବୈଜୟନ୍ତଙ୍କୁ ନେଇ ରାଜନୈତିକ ମହଲରେ ଅଙ୍କକଷା ଚାଲିଛି । ଦୁଇ ନେତାଙ୍କ ପରବର୍ତୀ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ଦାମଙ୍କୁ ସାକ୍ଷାତ କରିବା ପରେ ବୈଜୟନ୍ତ କହିଛନ୍ତି, ଦାମଙ୍କ ସହ ଅନ୍ୟାୟ କରାଯାଇଛି । ଦାମ ଯେଉଁ ଦୁର୍ନୀତି ଅଭିଯୋଗ ଆଣିଥିଲେ ତା ଉପରେ ତଦନ୍ତ କରିବା ଉଚିତ ଥିଲା ବୋଲି କହିଛନ୍ତି ବୈଜୟନ୍ତ । ସେପଟେ ଦାମ ନବୀନଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଦାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଅନୁଗତଙ୍କ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ନାହିଁ ବୋଲି ଦାମ କହିଛନ୍ତି । ଦଳରୁ ଦାମଙ୍କୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ସମ୍ବିତ୍ ରାଉତ୍ । ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି । ରାଜନୀତି ଓ ପରିବାର ଭିନ୍ନ ଭିନ୍ନ ଜିନିଷ ବୋଲି ସମ୍ବିତ ରାଉତ କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ସାରା ଓଡିଶାର ଦାମଙ୍କ ଉପରେ ରହିଛି । ଏହାରି ମଧ୍ୟରେ ସେ ଆଗାମୀ ନିର୍ବାଚନରେ ଲଢିବେ ବୋଲି ସ୍ପଷ୍ଟ କରିସାରିଛନ୍ତି ।