ଢେଙ୍କାନାଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ : ପ୍ରତିବାଦ ଆଶଙ୍କାରେ ୫୯ ଜଣ ବିଜେପି ଓ କଂଗ୍ରେସ କର୍ମୀ ଅଟକ

24

ଢେଙ୍କାନାଳ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଗସ୍ତ କରି ଅକରାନ୍ତିପୁରରେ ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲର ଶୁଭ ଉଦଘାଟନ୍ କରିଛନ୍ତି । ସେହିପରି ଗଁଦିଆ ପଂଚାୟତ ପଡିଆରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା । ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ବିଜେଡି କର୍ମୀଙ୍କ ଢେଲାମାଡ ଓ କଳାପତାକା ପ୍ରଦର୍ଶନକୁ ନେଇ ବିଜେପି ବିଜେଡି ବିବାଦ ତୀବ୍ର ଥିବା ବେଳେ ଏହାର ଜବାବ୍ ବିଜେପି ଦେବାର ଆଶଙ୍କାରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୧୩ ଫ୍ଲାଟୁନ ପୁଲିସ ଫୋର୍ସ ଓ ୫ ଜଣ ଡିଏସପି ମୁତୟନ ହୋଇଥିଲେ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଆଗୁଆ ବିରୋଧୀ କର୍ମୀଙ୍କୁ ଅଟକ ରଖିଛିି ପୁଲିସ । ବିଜେପି ଓ କଂଗ୍ରେସର ୫୯ ଜଣ କର୍ମୀଙ୍କୁ ପୁଲିସ ଅଟକ ରଖିଛି । ୧୩ ଜଣଙ୍କୁ ଟାଉନ ଥାନାରେ ଅଟକ ରଖିଥିବା ବେଳେ ୩୮ ଜଣଙ୍କୁ ଗଁଦିଆ ଥାନାରେ ଓ ସଦର ଥାନାରେ ୮ ଜଣଙ୍କୁ ଅଟକ ରଖାଯାଇଛି । ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣିଙ୍କୁ ମଧ୍ୟ ଅଟକ ରଖାଯାଇଛି । ଅଟକ ପ୍ରତିବାଦରେ ବିଜେପି କର୍ମୀମାନେ ଟାଉନ ଥାନା ଆଗରେ କଳା ପତାକା ପ୍ରଦର୍ଶନ କରିଛନ୍ତି । ।