ଆସନ୍ତା ୯ରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୧୧ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ, ୧୫ରେ ନୀତି ଆୟୋଗ ବୈଠକରେ ଯୋଗଦେବେ ନବୀନ । 

163

କନକ ବ୍ୟୁରୋ: ୫ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଆସନ୍ତା ୯ ତାରିଖରେ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରକୁ ଆସିବା ପରେ ଏହା ନବୀନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ । ତେବେ ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି,  କାରଣ ଦିଲ୍ଲୀ ଗସ୍ତରେ ଯିବା ସହ ନବୀନ ପାଖାପାଖି ୭ ଦିନଧରି ଦିଲ୍ଲୀରେ ରହିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ନବୀନ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ କାର୍ଯ୍ୟସୂଚୀରେ ରହିଛି । କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ବିଜେଡି ସରକାର ଗଠନ ପରେ ପ୍ରଥମ ଥର ପାଇଁ ମୋଦି ଓ ନବୀନଙ୍କ ମଧ୍ୟରେ ଭେଟଘାଟ ହେବାକୁ ଯାଉଛି । ଏହି ଭେଟଘାଟ ଉପରେ ସମସ୍ତଙ୍କର ନଜର ରହିଛି ।

ଅନ୍ୟପଟେ ସେହି ଦିନ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏହାବାଦ୍ କେନ୍ଦ୍ର ସରକାର ଅଧିନରେ ଥିବା ରାଜ୍ୟର ଅନେକ ପ୍ରସଙ୍ଗ ଉପରେ କେନ୍ଦ୍ରୀୟ ବିଭାଗ ସହିତ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ । କେବଳ ଏହି ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାସକରି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି କରି ପାରନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ମହାନଦୀ ପ୍ରସଙ୍ଗ, ରେଲୱେରେ ରାଜ୍ୟକୁ ଅଧିକ ଅନୁଦାନ, ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଉଠାଇପାରନ୍ତି ନବୀନ ।

ଏହି ଗସ୍ତର ଶେଷ ଦିନ ଅର୍ଥାତ୍ ଜୁନ୍ ୧୫ ତାରିଖ ମଧ୍ୟାହ୍ନରେ ନୂଆ ସରକାର ପରେ ପଞ୍ଚମ ନୀତି ଆୟୋଗ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି । ଏହାପରେ ସନ୍ଧ୍ୟାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।