ମାହାଙ୍ଗା-ସାଲେପୁରରେ ନବୀନଙ୍କ ସିଧା ନିଶାନା । କହିଲେ, ବିଶ୍ୱାସ ଭାଙ୍ଗିଛନ୍ତି ବୈଜୟନ୍ତ, ବିଜେପି ହେଉଛି ଧନୀ ଲୋକଙ୍କ ଦଳ ।

206

କନକ ବ୍ୟୁରୋ: ମାହାଙ୍ଗା ସାଲେପୁରରୁ ନାଁ ନନେଇ ବୈଜୟନ୍ତଙ୍କୁ ପୁଣି ନିଶାନା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାହାଙ୍ଗା ସାଲେପୁର ଜନସଭାରେ ଯୋଗଦେଇ ନବୀନ କହିଛନ୍ତି କି, କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ମୁଁ ଜଣେ ଶିକ୍ଷିତ ବ୍ୟକ୍ତିଙ୍କୁ ସାଂସଦ କରିଥିଲି ଏବଂ ତାଙ୍କ ଉପରେ ମୋର ଓ ଆପଣମାନଙ୍କର ବହୁତ ଭରସା ଥିଲା । ଆଉ ଆପଣମାନେ ତାଙ୍କୁ ମୋ ଅନୁରୋଧରେ ଦୁଇ ଦୁଇଇଥର ଭୋଟ୍ ଦେଇଥିଲେ କିନ୍ତୁ ସେ ଆପଣଙ୍କ ବିଶ୍ୱାସ ସହ ମୋ ବିଶ୍ୱାସ ମଧ୍ୟ ଭାଙ୍ଗିଛନ୍ତି । ଲୋକଙ୍କ ସ୍ୱାର୍ଥକୁ ବଳି ଦେଇ ନିଜ ସ୍ୱାର୍ଥ ପାଇଁ କାମ କଲେ ଯାହାକି ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ତେଣୁ କେନ୍ଦ୍ରାପଡ଼ାବାସୀ ତାଙ୍କୁ ଉଚିତ୍ ଜବାବ ଦେବେ ବୋଲି କହି ବୈଜୟନ୍ତଙ୍କୁ ସିଧା ନିଶାନା କରିଛନ୍ତି ନବୀନ ।

baijayanta panda removed from parliamentary spokeperson's postସେହିପରି ବିଜେପିକୁ ମଧ୍ୟ ସିଧା ନିଶାନା କରିଛନ୍ତି ନବୀନ । ସାଲେପୁର-ମାହାଙ୍ଗା ସଭାରେ ନବୀନ କହିଛନ୍ତି, ବିଜେପି ଦଳ କେବଳ ଧନୀ ଲୋକଙ୍କ ଦଳ, ବିମୁଦ୍ରାୟନ ଏବଂ ଜିଏସଟି ଏସବୁରେ ଧନୀ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛି । ତେଣୁ ଗରିବ ଅଧିକ ଗରିବ ହୋଇଛନ୍ତି । ଯୁବକ ଚାକିରୀ ହରାଇଛନ୍ତି, ଚାଷୀ ଓ ମହିଳା ହଇରାଣ ହେଉଛନ୍ତି । ଆଉ ଯେଉଁଥି ପାଇଁ ବିଜେପି ଏବେ ସାରା ଦେଶରେ ପରାଜୟର ଦ୍ୱାର ଦେଖୁଛି ବୋଲି କହି ସମାଲୋଚନା କରିଛନ୍ତି ନବୀନ । କେନ୍ଦ୍ରାପଡ଼ାରେ ଜଣେ ଭଲ ବ୍ୟକ୍ତିଙ୍କୁ ମୁଁ ସାଂସଦ ପ୍ରାର୍ଥୀ ଦେଇଛି । ଆପଣମାନେ ତାଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଅନୁଭବ ମହାନ୍ତିଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ନବୀନ ।

ଆସନ୍ତା ୨୯ ତାରିଖ ଶେଷ ପର୍ଯ୍ୟାୟ ନିର୍ବାଚନରେ ହେବାକୁଥିବା କେନ୍ଦ୍ରାପଡ଼ା କ୍ଷେତ୍ରରେ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର କରିଛନ୍ତି । ଏବଂ କହିଛନ୍ତି ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି ବୋଲି ପୁଣି ମାହାଙ୍ଗାରେ ଟାର୍ଗେଟ କଲେ ନବୀନ ।