ରାଜ୍ୟ ସରକାରଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। ଝଲସିବ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର। ପୂରଣ ହେବ ବରଗଡ଼ବାସୀଙ୍କ କ୍ୟାନସର ହସ୍ପିଟାଲ ସ୍ୱପ୍ନ

ହୀରାକୁଦ ହେବ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ

312

କନକ ବ୍ୟୁରୋ: ସରକାରଙ୍କ ଟାର୍ଗେଟରେ ପଶ୍ଚିମ ଓଡିଶା । ବରଗଡରେ କ୍ୟାନସର ହସ୍ପିଟାଲ ଏବଂ ସମ୍ବଲପୁରରେ ସମଲେଶ୍ୱରୀ ମନ୍ଦିର ବିକାଶ । ବହୁତ ଦିନ ଧରି ବରଗଡରେ ଏକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଥିବା ବେଳେ ଏଠାରେ କ୍ୟାନସର ହସ୍ପିଟାଲ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସମଲେଶ୍ୱରୀ ମନ୍ଦିରର ବିକାଶ, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତଙ୍କ ସୁବିଧା ସୁଯୋଗ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯିବ । ଏକ ବିଶେଷଜ୍ଞ ଦଳ ଆସି ଅନୁଧ୍ୟାନ କରିବେ । ସେହିପରି ହୀରାକୁଦକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ଭାବେ ଗଢ଼ି ତୋଳିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ।

 

ଝଲସିବ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର । ହୀରାକୁଦ ହେବ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ । ପୂରଣ ହେବ ବରଗଡ଼ର କ୍ୟାନ୍ସର ହସ୍ପିଟାଲ ସ୍ୱପ୍ନ । ରାଜ୍ୟର ସବୁଠୁ ଅଧିକ କ୍ୟାନ୍ସର ରୋଗୀ ଥିବା ବରଗଡ଼ ଜିଲ୍ଲାର ଦୀର୍ଘ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ବରଗଡ଼ରେ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ୭୦ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ୭ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୨୨ଟି ପ୍ରକଳ୍ପର ଶିଳାନ୍ୟାସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ ୭ ମହଲା ବିଶିଷ୍ଟ କୋଠା, ନୂଆ କୋଠାରେ ରୋଗୀଙ୍କ ପାଇଁ ୩ଶହଟି ଶଯ୍ୟା, ବରଗଡ଼ରେ ଏକ ଉଚ୍ଚମାନର ସେତୁ, ବିଜେପୁରରେ ଆଇସିଆଇସିଆଇ ବ୍ୟାଙ୍କର ଶାଖା ଏବଂ ବରଗଡ଼ରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀ ମନ୍ଦିର ଦର୍ଶନ ପାଇଁ ପହଂଚିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତ ପାଇଁ ସୁବିଧା-ସୁଯୋଗ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଏକ ବିଶେଷଜ୍ଞ ଦଳ ଆସି ଅନୁଧ୍ୟାନ କରିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ସେହିପରି ହୀରାକୁଦକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ଭାବେ ଗଢ଼ି ତୋଳିବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ପାଇଁ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ରାଜ୍ୟ ସରକାର ।