ବାତ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଜିରୋ କାଜୁଆଲିଟି ଲକ୍ଷ୍ୟରେ ପ୍ରସ୍ତୁତି କରିବାକୁ ନବୀନଙ୍କ ଆହ୍ୱାନ । ୧୨ଟି ଜିଲ୍ଲାକୁ ଆଲର୍ଟ, ୪ ଜିଲ୍ଲାକୁ ବିପଦ ଅଶଙ୍କା!

607

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଲେ ଆଲୋଚନା । ଓଡ଼ିଶାର ୪ ଜିଲ୍ଲାକୁ ଅଧିକ ବିପଦ ରହିଥିବା ଆଶଙ୍କା । ପୂର୍ବରୁ ମଧ୍ୟ ସବୁ ସାମୁଦ୍ରିକ ଝଡକୁ ରାଜ୍ୟ ସରକାର ସଫଳତାର ସହ ମୁକାବିଲା କରିଛନ୍ତି । ଏଥର ମଧ୍ୟ ସମାନ ଢଙ୍ଗରେ ପ୍ରସ୍ତୁତ ରହିବା ପାଇଁ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ଥିତିକୁ ନଜର ରଖି କେତେକ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ । ସବୁଠାରୁ ବଡ଼ କଥା ହେଲା କି, ଆତଙ୍କିତ ହୁଅନ୍ତୁ ନହୋଇ ସରକାରଙ୍କୁ ସହଯୋଗ କରନ୍ତୁ । ଆଉ ସରକାର ଜିରୋ କାଜୁଆଲିଟି ଗୁରୁତ୍ୱ ଦେଇଛନ୍ତି ।

ଏପଟେ ଏସଆରସିଙ୍କ କହିବା ମୁତାବକ, ମୟୂରଭଞ୍ଜ, ଯାଜପୁର, ପୁରୀ ଏବଂ କଟକ ଭଳି ଜିଲ୍ଳାର କିଛି ଅଞ୍ଚଳରେ ଅଧିକ ପବନ ହେବାର ଆଶଙ୍କା ରହିଛି । ଏହିସବୁ ଜିଲ୍ଲାରେ ପାଣି, ସ୍ୱାସ୍ଥ୍ୟ ଖାଦ୍ୟ ଉପରେ ଫୋକସ୍ । ଏହି ସବୁ ଜିଲ୍ଲାରେ ଧାନମଣ୍ଡି କାର୍ଯ୍ୟ ସ୍ଥଗିତ ରହିଛି । ଏହି ଜିଲ୍ଲାପାଇଁ ଶ୍ରମିକ ସ୍ପେଶାଲ ଟ୍ରେନ୍- ଆସନ୍ତା ୨୦ ତାରିଖ ପପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ରେଳ ବିଭାଗକୁ ଅନୁରୋଧ କରାଯାଇଛି । ଆଉ ଫୋନି ଅଭିଜ୍ଞତାରୁ ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ତେବେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଆସନ୍ତା କାଲି ସନ୍ଧ୍ୟାରେ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ । ବାତ୍ୟା ଆମ୍ଫାନ ଭୀଷଣ ରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି । କାରଣ ବଙ୍ଗୋପସାଗରରେ ଜଳବାୟୁର ସ୍ଥିତି ବାତ୍ୟାକୁ ସୁହାଉଛି ବୋଲି ଆକଳନ କରାଯାଉଛି । ୨୦ ତାରିଖ ସନ୍ଧ୍ୟାରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ । ତେବେ କେଉଁଠି ଏହା ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନଥିବାବେଳେ ପଶ୍ଚିମବଙ୍ଗ, କିମ୍ବା ଓଡିଶା ପଶ୍ଚିମବଙ୍ଗ ସୀମା କିମ୍ବା ପଶ୍ଚିମବଙ୍ଗ- ବାଙ୍ଗଲାଦେଶ ସୀମାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

ବାତ୍ୟାର ଏହି ମୁହୂର୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ସମୟରେ ଏହାର ପ୍ରଭାବ ସବୁଠାରୁ ଅଧିକ ଥାଏ । ପରେ ଏହା ଦୁର୍ବଳ ହୋଇଯାଏ । ଅନ୍ୟ ଦେଶର କିଛି ପାଣିପାଗ ସଂସ୍ଥା ଏହି ବାତ୍ୟା ଓଡିଶାରେ ଲ୍ୟାଣ୍ଡଫଲ କରିପାରେ ବୋଲି ପୂର୍ବାନୁମାନ କରୁଥିବାବେଳେ ଅନେକ ଭରଷା ଯୋଗ୍ୟ ପାଣିପାଗ ପୂର୍ବାନୁମାନ ସଂସ୍ଥା କହୁଛନ୍ତି, ଏହି ବାତ୍ୟା ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ମୁହାଁ ହୋଇପାରେ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଂଟାକୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି କୁହାଯାଉଛି ।