ପୁରସ୍କାର ଓ ପ୍ରୋତ୍ସାହନର ଉତ୍ସବ-ସମ୍ବାଦ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ । କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, କହିଲେ, ବ୍ରାଣ୍ଡ ପ୍ରମୋଟରମାନଙ୍କୁ ପ୍ରୋତ୍ସାହିତ କଲେ ସୃଷ୍ଟି ହେବ ବ୍ରାଣ୍ଡ ବିଲ୍ଡିଂର ପରମ୍ପରା

105

କନକ ବ୍ୟୁରୋ : ସମ୍ବାଦର ବ୍ରାଣ୍ଡସ ଅଫ୍ ଓଡିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ , କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ-୨୦୨୦ ଅନୁଷ୍ଠିତ ହୋଇଛି । ତୃତୀୟ ସଂସ୍କରଣରେ, ଓଡିଶାରୁ ସୃଷ୍ଟି ହୋଇ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ଶ୍ରେଷ୍ଠ ତଥା ସଫଳ ଉଦ୍ୟୋଗୀଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି , ବ୍ରାଣ୍ଡ ପ୍ରମୋଟରଙ୍କୁ ପ୍ରୋତ୍ସାହିତ କରିବାର ଏକ ପରମ୍ପରା ସୃଷ୍ଟି କରି ସମ୍ୱାଦ ଗ୍ରୁପ ଭଲ ଉଦ୍ୟମ ଆରମ୍ଭ କରିଛି । ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶିଳ୍ପ ଓ ଅନ୍ୟାନ୍ୟ ବିକାଶମୂଳକ କ୍ଷେତ୍ରରେ ଓଡିଶା ଆଗେଇ ଥିବାରୁ ଏହା ଏକ ବ୍ରାଣ୍ଡରେ ପରିଣତ ହୋଇଛି । ଏବଂ ସେଥିପାଇଁ ପୁଂଜିନିବେଶକାରୀ ଓଡିଶା ପ୍ରତି ଆକର୍ଷିତ ହେଉଛନ୍ତି ।

କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବା ସହ ଏଭଳି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମ୍ବାଦ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଓଡିଶାର ବ୍ରାଣ୍ଡ । ଆଗାମୀ ଦିନରେ ଇଂଟରନେଟ ଜରିଆରେ ସବୁକିଛି ହେବ ଏବଂ ଆମକୁ ନୂଆ କୌଶଳ ଆପଣାଇବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ ମତ ରଖିଛନ୍ତି ।

ବ୍ରାଣ୍ଡସ ଅଫ୍ ଓଡିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ , କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡର ତୃତୀୟ ସଂସ୍କରଣରେ ଓଡିଶାର ବିକାଶରେ ଯେଉଁ ସବୁ ଅନ୍ତରାୟ ରହିଛି ତାକୁ ଦୂର କରିବାକୁ ଆହ୍ୱାନ ଦେଇଛନ୍ତି ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଉକ୍ରର୍ଷର ଉପାସନା ପାଇଁ ସମ୍ବାଦ, ସର୍ବଦା ସଂକଳ୍ପବଦ୍ଧ । ଚଳିତ ଥର ସିଏସଆର, ବୃହତ, ମଧ୍ୟମ, କ୍ଷୁଦ୍ର ଓ ଇମର୍ଜିଂ ଏବଂ ଷ୍ଟାର୍ଟଅପ୍ ଭଳି ୫ଟି ବର୍ଗରେ ମୋଟ୍ ୧୫ ଟି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତି ବର୍ଗରେ ସଫଳ ଉଦ୍ୟୋଗୀଙ୍କୁ ପ୍ଲାଟିନମ୍, ଗୋଲ୍ଡ ଏବଂ ସିଲଭର ପୁରସ୍କାର ପ୍ରଦାନ କରାଯାଇଛି ।