ମନ୍ତ୍ରୀଙ୍କ ପରେ ସାଂସଦଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ: ଏଣିକି ୨ ମାସରେ ଥରେ ସୁପ୍ରିମୋଙ୍କୁ ରିପୋର୍ଟ ପ୍ରଦାନ କରିବେ ବିଜେଡି ସାଂସଦ

162

କନକ ବ୍ୟୁରୋ: ମନ୍ତ୍ରୀଙ୍କ ପରେ ଏବେ ସାଂସଦ ଦେବେ ରିପୋର୍ଟ କାର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ପ୍ରଦାନ କରିବେ ବିଜେଡିର ସବୁ ସାଂସଦ । ନିଜ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ମାସିକିଆ ରିପୋର୍ଟ ମାଗିବା ପରେ ଏବେ ବିଜେଡିର ସମସ୍ତ ସାଂସଦଙ୍କୁ ରିପୋର୍ଟ ମାଗିଛନ୍ତି ନବୀନ ପଟ୍ଟନାୟକ । ଏନେଇ ସବୁ ସାଂସଦଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।


ତେବେ ସଂସଦରେ ସାଂସଦ କେଉଁ କେଉଁ ପ୍ରସଙ୍ଗ ଉଠାଉଛନ୍ତି । ରାଜ୍ୟର ସ୍ୱାର୍ଥ ପାଇଁ ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଉଚିତ ଦାବି ଉସ୍ଥାପନା କରୁଛନ୍ତି କି ନାହିଁ ତାର ଏକ ରିପୋର୍ଟ ଲିଖିତ ଆକାରରେ ଦେବାକୁ ନବୀନ କହିଛନ୍ତି । ତେବେ ଅଗଷ୍ଟ ମାସ ଠାରୁ ପ୍ରତି ୨ ମାସରେ ଥରେ ରିପୋର୍ଟ ଦେବେ ସାଂସଦ । ୧୦ ତାରିଖ ସୁଦ୍ଧା ଏହି ରିପୋର୍ଟ ପ୍ରଦାନ କରିବାକୁ ନବୀନ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ।


ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ସାଂସଦଙ୍କୁ କହିଛନ୍ତି । ନିଜ ଅଞ୍ଚଳକୁ ଗସ୍ତ କରି ସେମାନଙ୍କ ସମସ୍ୟାକୁ ବୁଝନ୍ତୁ ଆଉ ତାର ସମାଧାନ ପାଇଁ ଆପଣ କିଭଳି ଉଦ୍ୟମ କରୁଛନ୍ତି ତାହା ମତେ ଅବଗତ କରାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି । ତେବେ ରିପୋର୍ଟ ପ୍ରଦାନ ପରେ ଖୋଦ ମୁଖ୍ୟମନ୍ତ୍ରୀ ଏ ଦିଗରେ ସମୀକ୍ଷା କରିବେ । ରିପୋର୍ଟ ସମୀକ୍ଷା ପରେ ବିଭିନ୍ନ ପ୍ରସଙ୍ଗରେ ସାଂସଦ ମାନଙ୍କୁ ପରାମର୍ଶ ଦେବା ସହ କିଭଳି ଦାବି ଉଠାଇଲେ ରାଜ୍ୟର ସ୍ୱାର୍ଥ ରକ୍ଷା କରିହେବ ତା ଉପରେ ମଧ୍ୟ ମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ । ତେବେ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ନିଜକୁ ପୂର୍ଣ୍ଣମାତ୍ରାରେ ଉତ୍ସର୍ଗ କରିବାକୁ ନବୀନ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।