ସାହସୀ ଝିଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାବାସି । କହିଲେ, ଦୁଇ ଭଉଣୀ ହେଉଛନ୍ତି ରାଜ୍ୟର ପ୍ରକୃତ ନାୟିକା

498

କନକ ବ୍ୟୁରୋ : ସାହାସୀ ଝିଅଙ୍କୁ ସାବାସି ଦେଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡାରେ ଡଙ୍ଗାବୁଡି ଘଟଣାରେ ୪୫ ଜଣଙ୍କ ପାଇଁ ଦେବକନ୍ୟା ପାଲଟିଥିବା ଦୁଇ ଭଉଣୀଙ୍କ ଅଦ୍ୟମ ସାହସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାବାସି ଦେଇଛନ୍ତି । ଅକାତକାତ ପାଣିରେ ଅଦମ୍ୟ ସାହସିକତା ଦେଖାଇ ୪୫ ଜଣ ଲୋକଙ୍କ ଜୀବନ ବଞ୍ଚାଇଥିବା ଦୁଇ ଭଉଣୀ ସବିତା ଓ ପୂର୍ଣ୍ଣିମା ଗିରିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଦୁଇ ଭଉଣୀ ହିଁ ରାଜ୍ୟର ପ୍ରକୃତ ସାହାସୀ ନାୟିକା । ରାଜ୍ୟର ଯୁବସମାଜର ସାହସିକତା ଓ ସହାନୁଭୂତିର ଏମାନେ ପ୍ରମାଣ ବୋଲି କହିଛନ୍ତି ନବୀନ ।
ବୁଧବାରର ଶୀତୁଆ ରାତି । ଅନ୍ଧାରରେ ମୁହଁକୁ ମୁହଁ ଦେଖିଯାଉନଥିଲା । ଆଉ ମହାନଦୀର ଅକାତକାତ ପାଣି ଭିତରୁ ଶୁଭୁଥିଲା ଆର୍ତଚିକ୍ରାର । ସେହି ଶବ୍ଦକୁ ଅନୁସରଣ କରି ମହାନଦୀ ମୁହାଣ ଅଭିମୁଖେ ମାଡିଆସିଥିଲା ଭିଡ । ଯାହା ଭିତରେ ବି ଥିଲେ ଗାଁର ଦୁଇ ଭଉଣୀ । ସବିତା ଗିରି ଓ ପୂର୍ଣ୍ଣିମା ଗିରି ।

ମହାକାଳପଡା ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିବା ଜାଣି ଏମାନେ ସେଠାରେ ପହଂଚିଯାଇଥିଲେ । ମହାନଦୀ ପାଖରେ ଘର ହୋଇଥିବାରୁ ନଦୀକୁ ଭୟ ନଥିଲା । ଆଉ ମନରେ ଥିଲା ଅଦମ୍ୟ ସାହସ । ଅନ୍ଧାର ରାତିରେ ମହାନଦୀରେ ବୁଡିଯାଇଥିବା ଯାତ୍ରୀଙ୍କ ପାଇଁ ଏମାନେ ଆସିଥିଲେ ଦେବଦୂତ ସାଜି । ଥରେ ଭାବନ୍ତୁ ଶୀତୁଆ ରାତି, ଗଭୀର ନଈ ପୁଣି କୁମ୍ଭୀରଙ୍କ ଭୟ । ପାଣିରେ ବୁଡିଯାଉଥିବା ଲୋକଙ୍କ ଚିକ୍ରାରରେ ଫାଟି ପଡୁଥିଲା ପୁରା ପରିବେଶ । କୂଳ କିନାରା ପାଉନଥିବା ଯାତ୍ରୀଙ୍କୁ ଦେଖି ମୁଣ୍ଡକୁ ଆସୁନଥିଲା ଉପାୟ । ସାହାଯ୍ୟ କରିବାକୁ ଲୋକଙ୍କ ଭିଡ ଭିତରେ ବଢିଚାଲିଥିଲା କୋଳାହଳ । ଏଭଳି ଏକ ପରିସ୍ଥିତିରେ ବଡବଡ ଲୋକଙ୍କ ପାଦ ପଛକୁ ଫେରିଯିବ । ହେଲେ ଫେରିନଥିଲା ଦୁଇ ଭଉଣୀ ସବିତା ଓ ପୂର୍ଣ୍ଣିମାଙ୍କ ପାଦ । ଆଖି ସାମ୍ନାରେ ବୁଡିଯାଉଥିବା ଲୋକଙ୍କୁ ଦେଖି ଏମାନେ ଉଦ୍ଧାର ପାଇଁ ଅଂଟା ଭିଡିଥିଲେ । ଅଧିକରୁ ଅଧିକ ଲୋକଙ୍କୁ ଉଦ୍ଧାର କରିବା ଥିଲା ଗୋଟିଏ ଲକ୍ଷ୍ୟ । ଜଣେ ଗୋଟିଏ ହାତରେ କୂଳରେ ଥିବା ଗଛକୁ ଧରିଥାଏ । ଅନ୍ୟଜଣେ ତା ହାତକୁ ଧରି ପାଣିଭିତରେ ଥିବା ଯାତ୍ରୀଙ୍କ ଆଡକୁ ବଢାଇ ଦେଉଥାଏ । ଏମିତି ଏକାଧିକ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ଦୁଇ ଭଉଣୀ ।

2 brave girlନିପାଣିଆ ଗାଁ ଲୋକଙ୍କ ସହାୟତାରେ ମହାନଦୀରୁ ଉଦ୍ଧାର ପାଇଗଲେ ୪୫ ଜଣ । ଦୁଇ ଭଉଣୀ ସବିତା ଓ ପୂର୍ଣ୍ଣିମା ମଧ୍ୟ ୧୦ରୁ ୧୨ ଜଣଙ୍କୁ କୂଳକୁ ଆଣିବାରେ ସମର୍ଥ ହୋଇଥିଲେ । ନିଜ ଜୀବନକୁ ପାଣି ଛଡାଇ ପାଣି ଭିତରକୁ ଡେଇଁ ପଡିଥିଲେ । ପ୍ରଥମେ ଦୁଇଜଣ ମହିଳାଙ୍କ ସହ କିଛି ଛୋଟ ପିଲାଙ୍କୁ ବି ଉଦ୍ଧାର କଲେ । ସବୁଠାରୁ ବଡକଥା ହେଉଛି ଏମାନଙ୍କ ଜଣେ ଭାଇ କିଛିବର୍ଷ ତଳେ ପୋଖରୀରେ ବୁଡି ପ୍ରାଣ ହରାଇଥିଲେ । ସେହିପରି ଅନ୍ୟଜଣେ ଭଉଣୀ ମଧ୍ୟ ମହାନଦୀରେ ଭାସି ଯାଇଥିଲେ । ତଥାପି ମହାନଦୀରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ଯାତ୍ରୀଙ୍କୁ ଉଦ୍ଧାର କରିବାରେ ଏମାନେ ପଛଘୁଂଚା ଦେଇନଥିଲେ । ଯେଉଁଥିପାଇଁ ଏବେ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିଛି । କନକ ନ୍ୟୁଜ କ୍ୟାମେରା ସାମ୍ନାରେ ସେହି କାଳ ରାତିର କଥା କହିବାବେଳେ ନିପାଣିଆ ଗାଁର ସମସ୍ୟା ସଂପର୍କରେ ପ୍ରଶାସନ ଓ ସରକାରକୁ ଅବଗତ କରାଇବାକୁ ଭୁଲି ନାହାନ୍ତି ଦୁହେଁ ।

କେନ୍ଦ୍ରାପଡା ମହାକାଳପଡାର ଏକ ଅଖ୍ୟାତ ଗାଁ ନିପାଣିଆ । ଯେଉଁଠି ବୁଧବାର ରାତିରେ ଘଟିଗଲା ସାରା ରାଜ୍ୟକୁ ସ୍ତବ୍ଧ କରିଦେଲାଭଳି ଏକ ଦୁଃଖଦ ଘଟଣା । ଆଉ ତାରି ଭିତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି ଏହି ଦୁଇ ସାହସୀ ଝିଅ । ଯିଏ ନିଜ ଉପସ୍ଥିତ ବୁଦ୍ଧି ଓ ସାହସ ବଳରେ ଅନେକ ଜୀବନ ର କ୍ଷା କରିପାରିଛନ୍ତି ।