ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସମଲେଶ୍ୱରୀ ମନ୍ଦିର । ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା କ୍ଷେତ୍ରକୁ ଗୁରୁତ୍ୱ, ଗଠନ ହେବ ପର୍ଯ୍ୟବେକ୍ଷକ ଟିମ୍ ।

767

କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଏବଂ ଭୁବନେଶ୍ୱର ଲିଙ୍କରାଜ ମନ୍ଦିର ପରେ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତ ପାଇଁ ସୁବିଧା-ସୁଯୋଗ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଏକ ବିଶେଷଜ୍ଞ ଦଳ ଆସି ଅନୁଧ୍ୟାନ କରିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ସେହିପରି ହୀରାକୁଦକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ଭାବେ ଗଢ଼ି ତୋଳିବାପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ୱାଟର ସ୍ପୋର୍ଟ୍ସ, ଗାର୍ଡେନ, କନଭେକସନ୍ ସେଣ୍ଟର ଆଦିର ବିକାଶ କରାଯାଇ ହୀରାକୁଦକୁ ଏକ ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଉଭୟ ସ୍ଥାନର ଉନ୍ନୟନ ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ବରଗଡ ଗସ୍ତ କରିଥିଲେ । ସେଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୭୦ କୋଟି ୬୪ ଲକ୍ଷରୁ ଅଧିକ ଟଙ୍କାର ୭ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି । ୫୯ କୋଟି ୪୪ ଲକ୍ଷ ଟଙ୍କାର ୨୨ ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହ ଏକ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ଘୋଷଣା କରିଛନ୍ତି ନବୀନ ।