କନକ ନ୍ୟୁଜର ମହାପ୍ରଭାବ: ସନ୍ତୋଷିନୀର ସାହାରା ସାଜିଲେ ସରକାର, ବ୍ରେନ୍ ଟ୍ୟୁମର ଅପରେସନ ପାଇଁ ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ

459

କନକ ବ୍ୟୁରୋ: ଆଉ ମଉଳି ଯିବନି ସନ୍ତୋଷିନୀର ସ୍ୱପ୍ନ । ଅନ୍ଧାରରେ ଲୁଚିଯିବନି ତାର ଆଶା, ତାର ଆକାଂକ୍ଷା । ସନ୍ତୋଷିନୀ ପଢିବ, ସନ୍ତୋଷିନୀ ବଢିବ, ନିଜ ଭବିଷ୍ୟତକୁ ନେଇ ଦେଖିଥିବା ଗୋଟି ଗୋଟି ସ୍ୱପ୍ନ ସାକାର କରିବ । କାରଣ ବେସାହାରା ସନ୍ତୋଷିନୀକୁ ସାହାରା ହୋଇଛନ୍ତି ସରକାର । ସାହାରା ହୋଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ତୋଷିନୀର ଚିକିତ୍ସା ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେବ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଗତକାଲି କନକ ନ୍ୟୁଜରେ ସନ୍ତୋଷିନୀଙ୍କ ଅସହାୟତାର କାହାଣୀ ପ୍ରସାରଣ ହୋଇଥିଲା । ଗରିବି ପାଇଁ ଆଉ ଅସାଧ୍ୟ ରୋଗ ପାଇଁ ପାଟଣାଗଡର ମେଧାବୀ ଝିଅ କେମିତି ପାଠପଢାରେ ଡୋରୀ ବାନ୍ଧିଥିଲା ତାହା ଆମେ ଦେଖାଇଥିଲୁ । ତେବେ କନକ ନ୍ୟୁଜର ଏହି ଖବର ଦେଖିବା ପରେ ଖୋଦ ମୁଖ୍ୟମନ୍ତ୍ରୀ ସନ୍ତୋଷିନୀଙ୍କୁ ସାହାଯ୍ୟ କରିବାକୁ ହାତ ବଢାଇଛନ୍ତି । ସନ୍ତୋଷିନୀଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଉ ନିର୍ଦ୍ଦେଶ ପାଇଲା ପରେ ଆଜି ପାଟଣାଗଡ ବିଡିଓ ଏକ ଡାକ୍ତରୀ ଟିମକୁ ସନ୍ତୋଷିନୀଙ୍କ ସିଲେଟପରା ଗାଁକୁ ପଠାଇଥିଲେ । ଗାଁରୁ ସନ୍ତୋଷିନୀଙ୍କୁ ଆଣି ପାଟଣାଗଡ ମେଡିକାଲରେ କାଗଜପତ୍ର କରାଇଥିଲେ । ଆଉ ତାପରେ ସନ୍ତୋଷିନୀଙ୍କୁ ବଲାଙ୍ଗିର ମେଡିକାଲ କଲେଜରେ ଭର୍ତ୍ତି କରା ଯାଇଛି । ତେବେ ଇତି ମଧ୍ୟରେ ସନ୍ତୋଷିନୀଙ୍କ ସିଟି ସ୍କାନ ସହ ଅନ୍ୟ ପରୀକ୍ଷା ନିରୀକ୍ଷା ମଧ୍ୟ ହୋଇଥିବା ଜଣାପଡିଛି । ଆଗାମୀ ଭବିଷ୍ୟତରେ ସନ୍ତୋଷିନୀଙ୍କ ଚିକିତ୍ସା ଆଉ ବ୍ରେନ ଟ୍ୟୁମର ଅପରେସନରେ ଯାହା କିଛି ଖର୍ଚ୍ଚ ହେବ ସବୁ ସରକାର ବହନ କରିବେ ବୋଲି ଅଧିକାରୀମାନେ କହିଛନ୍ତି ।

ତେବେ ଗରିବି ଝିଅ ପାଇଁ ଅର୍ଥ ବାଧକ ସାଜିଥିବାରୁ ଆଉ ଅପରେସନ ପାଇଁ ୫୦ ହଜାର ଟଙ୍କା ଯୋଗାଡ କରିପାରୁନଥିବାରୁ ନିଜ ଭାଗ୍ୟକୁ ଆଦରି ଘରେ ରହିଥିଲେ ପାଟଣାଗଡର ମେଧାବୀ ଝିଅ ସନ୍ତୋଷିନୀ । ଅପରେସନ ପାଇଁ ଟଙ୍କା ଅସମ୍ଭବ ହେବାରୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ଘରେ ଟେଲରିଂ କରି ନିଜ ଔଷଧ ଖର୍ଚ୍ଚ ବହନ କରୁଥିଲେ ସନ୍ତୋଷିନୀ । ତେବେ ମେଧାବୀ ଝିଅର ଏଭଳି ଖବର ଦେଖି ତାଙ୍କୁ ସାହାଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ସହାୟତା ପାଇ ବେଶ ଖୁସି ଅଛନ୍ତି ସିଲଟପଡାର ସୁନା ଝିଅ ସନ୍ତୋଷିନୀ…