ସାହସିକତା ପାଇଁ ମିଳିଲା ସମ୍ମାନ ! ‘ତିତଲି’ ହିରୋଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ।

154

କନକ ବ୍ୟୁରୋ : ଚାଲିଯାଇଛି ଭୟଙ୍କର ବାତ୍ୟା ତିତଲି । କିନ୍ତୁ ଆଜି ବି ଅନେକ ସ୍ଥାନରେ ରହିଯାଇଛି ତିତଲିର ଚିହ୍ନ । ଅନେକ ଧନଜୀବନ ଚାଲିଯାଇଛି ସତ କିନ୍ତୁ କିଛି ଲୋକଙ୍କର ସାହସିକତା ବଞ୍ଚିଯାଇଛି ଅନେକ ଜୀବନ । ତିତଲି ସମୟରେ ସାହସିକତା ପ୍ରଦର୍ଶନ କରି ଲୋକଙ୍କୁ ସାହାଯ୍ୟ କରିଥିବା ଗଞ୍ଜାମ ଗଜପତି ଜିଲ୍ଲାର କିଛି ଲୋକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ହୋଇଥିବା ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ତିତଲି ହିରୋଙ୍କୁ ମୁଖ୍ୟମନ୍ତ୍ରୀ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାରୁ ୧୫ ଜଣ ଏବଂ ଗଞ୍ଜାମ ଜିଲ୍ଲାର ୭ ଜଣ ଲୋକଙ୍କୁ ସମ୍ମାନିତ କରାଯାଇଛି । ତେବେ ଏହିଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକେ ଏଭଳି କାର୍ଯ୍ୟ କଲେ ନିଶ୍ଚିତ ଭାବେ ଅନେକ ଧନଜୀବନ ରକ୍ଷାପାଇପାରିବ ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସମେତ ସ୍ପେଶିଆଲ ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ସାମିଲ ଥିଲେ ।