‘ମୋ ସରକାର’ରେ ସ୍ୱାସ୍ଥ୍ୟସେବାକୁ ଫୋକସ କଲେ ମୁଖ୍ୟମନ୍ତ୍ରୀ । ୬ ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତି ପାଇଁ କଲେ ବଡ ଘୋଷଣା

548

କନକ ବ୍ୟୁରୋ: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ସରକାର ଟିମର ପରିଦର୍ଶନ ପରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ୬ଟି ଜିଲ୍ଲାକୁ ମୋ ସରକାର ଟିମର ଗସ୍ତ ପରେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।  ତେବେ ୬ଟି ଜିଲ୍ଲା ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡା, ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୬ଟି ମେଡିକାଲ କଲେଜର ରୋଗୀ କଲ୍ୟାଣ ସମିତିକୁ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ ବୋଲି ନବୀନ ଘୋଷଣା କରିଛନ୍ତି ।

ସେହିପରି ୬ଟି ଜିଲ୍ଲାରେ ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ପୋଲିସ ଏସପିଙ୍କୁ ୧୦ ଲକ୍ଷ ଲେଖାଏଁ ମିଳିବ । ଏଥିସହ ହସ୍ପିଟାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କ ପାଇଁ ନିର୍ମାଣ ହେବ ବିଶ୍ରାମ କକ୍ଷ । ସମ୍ବଲପୁର ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବ । ୫୦ଟି ଅତିରିକ୍ତ ଶଯ୍ୟା ସହ କାଜୁଆଲିଟି, ବହିର୍ବିଭାଗ କୋଠା ବି ନିର୍ମାଣ ହେବ । ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ନିର୍ମାଣ ହେବ ମାଆ ଗୃହ । ଖାଲି ସେତିକି ନୁହେଁ ରୋଗୀ ପରୀକ୍ଷା ପାଇଁ ବି ବ୍ୟବସ୍ଥା କରାଯିବ । ଲାବ୍ରୋଟୋରୀ ଉନ୍ନତିକରଣ, ଡାଏଲିସିସ୍ ୟୁନିଟ ଏବଂ ଆଇସିୟୁ ପ୍ରତିଷ୍ଠା ହେବ । ବୁର୍ଲା ଭୀମସାରରେ ଏକ ସାଟେଲାଇଟ ସେଣ୍ଟର ବିକଶିତ କରାଯିବ ।

ଅନୁଗୁଳ ହସ୍ପିଟାଲରେ ଶଯ୍ୟା ସଂଖ୍ୟାକୁ ୧୯୨ରୁ ୩୦୦କୁ ବୃଦ୍ଧି କରାଯିବ । କେନ୍ଦ୍ରାପଡାରେ, ସୋନପୁରରେ ଶଯ୍ୟା ବୃଦ୍ଧି ସହ ଅନେକ ଭିତ୍ତିଭୂମି ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି । ତେବେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ୨୪ ମାସରେ ଶିକ୍ଷାଦାନ ଓ ହସ୍ପିଟାଲ ବିଲ୍ଟିଂ କାମ ଶେଷ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।