ବଳଦେବଜୀଉ ମନ୍ଦିର ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ସ୍ନାନବେଦୀରେ ଶ୍ରୀଜିଉଙ୍କ ଦର୍ଶନ କଲେ, ମନ୍ଦିରର ଉନ୍ନତି ପାଇଁ ୨ କୋଟି ଟଙ୍କା ଦେଲେ ।

1,160

କନକ ବ୍ୟୁରୋ : ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କଲେ ବିଜେଡି ସୁପ୍ରିମୋ । ଆଜି କେନ୍ଦ୍ରାପଡା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବା ସହ ଆର୍ଶୀବାଦ ନେଇଛନ୍ତି । ଏହାସହ ସ୍ନାନପୂର୍ଣ୍ଣିମା ଭଳି ଏକ ବଡପର୍ବରେ ବଳଦେବଜୀଉ ମନ୍ଦିର ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ଦିରର ଉନ୍ନତି ପାଇଁ ୨ କୋଟି ଟଙ୍କାର ଘୋଷଣା କରିଛନ୍ତି ନବୀନ ।

ସ୍ନାନପୂର୍ଣ୍ଣିମାରେ ଶ୍ରୀବଳଦେବଜୀଉ ଓ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ କେନ୍ଦ୍ରାପଡାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ପ୍ରାୟ ସାଢେ ୫ଟା ସମୟରେ କେନ୍ଦ୍ରାପଡାରେ ପହଞ୍ଚିବା ପରେ ବଳଦେବଜୀଉ ମନ୍ଦିରରେ ପହଞ୍ଚିଥିଲେ ନବୀନ । ଆଉ ମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ନବୀନ । ଶ୍ରୀଜିଉଙ୍କ ନିକଟରେ ପୁଷ୍ପାଞ୍ଜଳି ଦେବା ସହ ଆଳତି କରିଥିଲେ ନବୀନ । ଏହାସହ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ମାଳ ଲାଗି କରିଥିଲେ ମୁଖ୍ୟମନ୍ତ୍ରୀ । ମନ୍ଦିରରେ ପ୍ରାୟ ୧୦ରୁ ୧୫ ମିନିଟ୍ ରହିବା ପରେ ବାହାରକୁ ବାହାରିଥିଲେ ବିଜେଡି ସୁପ୍ରିମୋ ।

ଏହାପୂର୍ବରୁ ମାନସିକ ପୂରଣ ହୋଇଥିବାରୁ ବିଜେଡି ସୁପ୍ରିମୋ ବଳଦେବଜୀଉଙ୍କ ଦର୍ଶନ କରିବେ ବୋଲି କହିଥିଲେ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି । କେନ୍ଦ୍ରାପଡ଼ାରେ ବିଜେଡିର ବିଜୟ ପାଇଁ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ନିକଟରେ ମାନସିକ କରିଥିଲେ ବିଜେଡି ସୁପ୍ରିମୋ । ଆଉ କେନ୍ଦ୍ରାପଡାରେ ବିଜେଡି ବିପୁଳ ବିଜୟ ହାସଲ କରିବା ପରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରିଛନ୍ତି ନବୀନ ।