ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ! ୧୫ ଦିନ ରିଲିଫ୍, ୪୮ ଘଣ୍ଟାରେ ବିଜୁଳି ଯୋଗାଣ ।

35

କନକ ବ୍ୟୁରୋ: ତିତଲି ପ୍ରଭାବିତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟା ସ୍ଥିତି ନେଇ ଆଜି ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗଞ୍ଜାମ, ଗଜପତି, ରାୟଗଡା ପାଇଁ ୧୫ ଦିନ ପର୍ଯ୍ୟନ୍ତ ରିଲିଫ୍ ଘୋଷଣା କରାଯାଇଛି । ବୟସ୍କଙ୍କ ପାଇଁ ଦିନକୁ ୬୦ ଟଙ୍କା ମୂଲ୍ୟରେ ଖାଦ୍ୟ ଏବଂ ଛୋଟ ପିଲାମାନଙ୍କ ପାଇଁ ୪୫ ଟଙ୍କା ମୂଲ୍ୟରେ ଦୈନିକ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ । ଏହା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାନେଇ ଗୁରୁତ୍ୱ ଦିଆଯାଇଛି । ତେଣୁ ଆସନ୍ତାକାଲି ସୁଦ୍ଧା ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ନଳକୂପର ମରାମତି କରାଯିବ । ସେହିପରି ୯୦ ପ୍ରତିଶତ ସ୍ଥାନରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସେବା ସ୍ୱାଭାବିକ୍ ହେବ । ଏବଂ ବାକି ୧୦ ପ୍ରତିଶତ ସ୍ଥାନରେ ୩ ରୁ ୫ ଦିନ ମଧ୍ୟରେ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହେବ ।

ଆଜି ମଧ୍ୟାହ୍ନରେ ତିତଲି ପ୍ରଭାବିତ ଅଂଚଳକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାର ସ୍ଥିତି ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଥିଲେ ମୁଖ୍ୟମନ୍ତ୍ରୀ । ବିଶେଷ କରି ଚାଷ ଜମି କ୍ଷତି ହୋଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସବୁର ସମୀକ୍ଷା ଏବଂ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ଅଂଚଳର ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା । ସେପଟେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଂଚଳ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ସରକାର । ଗଜପତି ବାରଘରର ପାହାଡ ଧସେଇ ଘଟଣାକୁ ଦୁର୍ଭାଗ୍ୟଜନକ ଓ ଏକମାତ୍ର ବଡ ଦୁର୍ବିପାକ ବୋଲି କହି ଘଟଣାରେ ମୃତ ପରିବାରକୁ ସମବେଦନା ଜଣାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।