ପୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ମଠ ମନ୍ଦିରଗୁଡିକର ପୁନରୁଦ୍ଧାର ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର

ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳ କରବାକୁ ସରକାରଙ୍କ ସ୍ୱତନ୍ତ୍ର ରୋଡ ମ୍ୟାପ

674

କନକ ବ୍ୟୁରୋ: ଆଜି ପୁରୀର ବିଭିନ୍ନ ପ୍ରକଳ୍ପ ପାଇଁ ୫୦୦କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀର ଭିତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ସୁବିଧା, ମୁଷା ନଦୀର ପୁନରୁଦ୍ଧାର, ସୁରକ୍ଷା ଜୋନରେ ଥିବା କ୍ଷତିଗ୍ରସ୍ତଙ୍କୁ ଥଇଥାନ, ମଠ ମନ୍ଦିର ଓ ତୀର୍ଥ ପୁଷ୍କରଣୀ ଗୁଡିକର ପୁନରୁଦ୍ଧାର ପାଇଁ ଏହିି ଟଙ୍କା ମଞ୍ଜୁର କରାଯାଇଛି । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟସ୍ତଳୀ କରିବାକୁ ଏହି ମଞ୍ଜୁର ଦେଇଛନ୍ତି ସରକାର ।

ଶ୍ରୀକ୍ଷେତ୍ରକୁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଠିଆ କରିବାକୁ ଦୀର୍ଘମିଆଧି ରୋଡ ମ୍ୟାପ ସହ ଏକ ବଡ ଖସଡା ପ୍ରସ୍ତୁତ କରିଛନ୍ତି ସରକାର । ଏହି ଯୋଜନାରେ ନିର୍ମାଣ ହେବ ମାର୍କେଟ୍ କଂପ୍ଲେକ୍ସ, ଶ୍ରଦ୍ଧାଳୁଙ୍କ ପାଇଁ ହେବ ବିଶେଷ ବ୍ୟବସ୍ଥା । ଶ୍ରୀମନ୍ଦିରକୁ ବିଶ୍ୱ ପ୍ରସିଦ୍ଧ କରିବା ପାଇଁ ୨ ବର୍ଷିଆ ଟାର୍ଗେଟ୍ ରଖିଛନ୍ତି ସରକାର । ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ବସିଥିବା ବୈଠକରେ ମୁଖ୍ୟ ଶାସନ ସଚିବ, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ,ମୁଖ୍ୟ ପ୍ରଶାସକ, ଆଇନମନ୍ତ୍ରୀ ପ୍ରତାପ ଜେନା ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଉପସ୍ଥିତ ଥିଲେ ।

ବୈଠକରେ କଣ ନିଆଗଲା ନିଷ୍ପତ୍ତି

Trumpet ଶ୍ରୀ ସେତୁ

ପୁରୀ ବାଇପାସ୍ ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠକୁ ଆଧୁନିକ Trumpet ସେତୁ (ଶ୍ରୀସେତୁ) ଦ୍ୱାରା ସଂଯୋଗ କରାଯିବ । ଏଥିପାଇଁ ୧୯୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଜଗନ୍ନାଥ ବଲ୍ଲଭ ମଠଠାରେ ଯାତ୍ରୀମାନେ ଏହାଦ୍ୱାରା ସିଧାସଳଖ ପହଂଚିପାରିବେ ।

ଜଗନ୍ନାଥ ବଲ୍ଲଭ ମଠର ବିକାଶ

ଜଗନ୍ନାଥ ବଲ୍ଲଭ ମଠରେ ବହୁତଲ ପାର୍କିଂ ସହିତ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାଶ ସୁବିଧା ଯଥା ୧୦ ହଜାର ଲୋକଙ୍କ ପାଇଂ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ । ତା ସହିତ ସେଠାରେ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ଦୋକାନ ବଜାରର ମଧ୍ୟ ବ୍ୟବସ୍ଥା କରାଯିବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ମୂଷା ନଦୀର ବିକାଶ

ମୂଷା ନଦୀର ପୁନରୁଦ୍ଧା କରାଯାଇ ଏହାକୁ ମଙ୍ଗଳା ନଦୀ ସହିତ ସଂଯୋଗ କରାଯିବ । ମୂଷା ନଦୀର ପରିବେଶରେ ଉନ୍ନତି ଅଣାଯିବ ଏବଂ ସେଠାରେ River Front Tourismର ବିକାଶ କରାଯିବ । ଏଥିପାଇଁ ୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଅଠରନଳା

ଐତିହାସିକ ଅଠରନଳାର ସୌନ୍ଦର୍ଯ୍ୟ କରଣ ଓ ଆଲୋକୀକରଣ କରାଯିବ । ଏଥିପାଇଁ ଏଏସଆଇର ସହଯୋଗ ନିଆଯିବ । ଏଥିପାଇଁ ୫କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ହ୍ରଦ

ପୁରୀଠାରେ ୨୮ ଏକର ଜମିରେ ଏକ ହ୍ରଦର ବିକାଶ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ସୁରକ୍ଷିତ ଜୋନ୍ ଓ ମଠ ପୁନରୁଦ୍ଧାର

ଶ୍ରୀ ଜଗନ୍ନାଥଙ୍କ ନୀତି ସହିତ ମଠ ମାନଙ୍କର ସ୍ୱତନ୍ତ୍ର ସଂପର୍କ ରହିଛି । ତେଣୁ ଏଥିରେ ଯେପରି ଅସୁବିଧା ନ ହୁଏ, ସେଥିପାଇଁ ସରକାର ଯତ୍ନବାନ ଅଛନ୍ତି । ପୁରୀରେ ଶ୍ରୀମନ୍ଦିରର ସୁରକ୍ଷା ଜୋନରେ ଆସୁଥିବା ମଠ ଗୁଡିକର ସ୍ଥାନାନ୍ତର କରାଯିବ । ସ୍ଥାନାନ୍ତର ହେଉଥିବା ମଠର କୀର୍ତ୍ତି ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ।ପୁରୀରେ ଥିବା ମଠଗୁଡିକୁ ଅବଡା ଯୋଜନାରେ ସରକାର ସହଯୋଗ ଯୋଗାଇ ଦେବେ ।

ସେହିଭଳି ଶ୍ରୀମନ୍ଦିର ନିରାପତ୍ତା ଜୋନରେ ଆସୁଥିବା ଦୋକାନ ଓ ଘର ଗୁଡିକୁ ସ୍ଥାନାନ୍ତରଣ କରାଯିବ । ଏଥିପାଇଁ ସରକାର ଦୋକାନ ପାଇଁ ଦୋକାନ ଏବଂ ଘର ପାଇଁ ଘର ଯୋଗାଇ ଦେବା ସହିତ ଥଇଥାନ ପ୍ୟାକେଜ ମଧ୍ୟ କାର୍ଯ୍ୟକାରୀ କରିବେ । ସେହିଭଳି ପୁରୀରରେ ଥିବା ତୀର୍ଥ ପୁଷ୍କରିଣୀ ଯଥା- ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଏବଂ ଇନ୍ଦ୍ରଦ୍ୟୁମ ପୁଷ୍କରିଣୀଗୁଡିକର ପୁନରୁଦ୍ଧାର କରାଯିବ ଏବଂ ଐତିହ୍ୟସ୍ଥଳୀର ସଂରକ୍ଷଣ କରାଯିବ । ଏହିସବୁ କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଦାୟିତ୍ୱ ଓଡିଶା ସେତୁ ଓ ନିର୍ମାଣ ପ୍ରକଳ୍ପକୁ ଦିଆଯାଇଛି ।

ତେବେ ଲୋକସେବା ଭବନରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଇନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ , ଆଇନ ସଚିବ , ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ, କେନ୍ଦ୍ରାଂଚଳ ଡିଆଇଜି ଏବଂ ପୁରୀ ଏସପି ପ୍ରମୁଖ ଉପସ୍ଥିତ ଥିଲେ ।